ଗଂଜାମ ଯିବେ ବିଶେଷଜ୍ଞ ଦଳ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ୨ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଦାୟିତ୍ୱ; ବିଜୟ କୁମାର ପାଣିଗ୍ରାହୀ ଏବଂ ଜୟସିଂ ଖତ୍ରୀଙ୍କୁ ଦିଆଗଲା ଦାୟିତ୍ୱ

କରୋନା ସ୍ଥିତି ଅନୁଧ୍ୟାନ ସହ ସର୍ଭେଲାନ୍ସ ଓ କଂଟେନମେଂଟ ଜୋନ ତଦାରଖ କରିବେ ଦୁଇ ଜଣିଆ ଟିମ

479

କନକ ବ୍ୟୁରୋ: କନକ ବ୍ୟୁରୋ: ଗଂଜାମରେ ୪ ଆକ୍ରାନ୍ତ ଚିହ୍ନଟ ପରେ ୨ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଗଂଜାମ ଯିବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଭାଗ ଟିମ । ସର୍ଭେଲାନ୍ସ ଓ କଂଟେନମେଂଟ ଜୋନ ତଦାରଖ କରିବେ ଏହି ଦୁଇ ଜଣିଆ ଟିମ । ଟିମରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଓ ଆରଏମଆରସି ବୈଜ୍ଞାନିକ ଜୟସିଂ କ୍ଷେତ୍ରୀ ସାମିଲ ଅଛନ୍ତି ।

ସେହିପରି ଗଂଜାମ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ନୂଆ ଆକ୍ରାନ୍ତ ଜଣକ ୧୮ ବର୍ଷୀୟ ସୁରଟ ଫେରନ୍ତା ଯୁବକ ବୋଲି ଜଣାପଡିଛି । ଯୁବକ କାହା ସଂଶସ୍ପର୍ଶରେ ଆସିଥିଲେ ସେ କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୭୭ କୁ ବୃଦ୍ଧି ହୋଇଛି । ଯାଜପୁରରେ ସର୍ବାଧିକ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଖୋର୍ଧାରେ ୪୭, ବାଲେଶ୍ୱରରେ ୨୪, ଭଦ୍ରକ ୨୧, ସୁନ୍ଦରଗଡ ୧୨, ଗଂଜାମରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ସେହିପରି ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, କଟକ, କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ନମୂନା ପରୀକ୍ଷା ନେଇ ତଥ୍ୟ ଆସିଛି ସାମ୍ନାକୁ । ଗତ ୨୪ ଘଂଟାରେ ରାଜ୍ୟରେ ୨୭ ଶହ ୯୧ ନମୂନା ପରୀକ୍ଷଣ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୂନା ପରୀକ୍ଷଣ ସଂଖ୍ୟା ୪୭ ହଜାର ୪୫୪କୁ ବୃଦ୍ଧି ହୋଇଛି ।