ପେସା ଶିକ୍ଷକତା, ହେଲେ ନିଶା ପାଲଟିଛି ଚାଷ । ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିବା ସହ ବହୁମୁଖୀ ଚାଷ କରୁଛନ୍ତି କାଇମନୀ ମହାନ୍ତ

95

କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ମଣିଷକୁ ସଫଳତା ଦେଇଥାଏ । ଯାହାର ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ସୁଲିଆ ଗାଁର କାଇମନୀ ମହାନ୍ତ । ଉଚ୍ଚଶିକ୍ଷା ପରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରିବା ସହ ବାଡ଼ିରେ କରିଛନ୍ତି ବହୁମୁଖୀ ଚାଷ । ତେବେ ଚାଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କାଇମନୀ ।

  • ପେସା, ଶିକ୍ଷକତା
  • ନିଶା ପାଲଟିଛି ଚାଷ କାମ
  • କାଇମନୀଙ୍କ ବହୁମୁଖୀ ଚାଷ

ଶିକ୍ଷାଗତ ଯୋଗ୍ୟତା ଏମ.ଏ ଓ ବିଏଡ । ସରକାରୀ ଚାକିରି ନମିଳିବାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରନ୍ତି ଯାଜପୁର ଦାନଗଦି ବ୍ଲକ ସୁଲିଆ ଗାଁର କାଇମନୀ ମହାନ୍ତ । ମିଳୁଥିବା ପାରିଶ୍ରମିକରେ ଘର ଚଳାଇବା କଷ୍ଟକର ହେବାରୁ ନୂଆ କିଛି କରିବାର ଆଶା ନେଇ ନିଜ ବାଡ଼ିରେ ଆରମ୍ଭ କରିଛନ୍ତି ବହୁମୁଖୀ ଚାଷ । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରିବା ସହ ବତକ ଚାଷ ମଧ୍ୟ ସେ କରିଛନ୍ତି । ଏହା ସହିତ ନିଜ ବାଡ଼ିରେ କଦଳୀ, ଶାଗ, ଧଣିଆ, ପନିପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି । ନିଜେ ଉତ୍ପାଦନ କରିବା ସହ ନିଜେ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି ।

ଚାଷ କରି ନିଜେ ଆତ୍ମନିର୍ଭର ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିଛନ୍ତି କାଇମନୀ । ପ୍ରଥମେ ଦୁଇଟି କୁଣ୍ଡରେ ମାଛ ଚାଷ ଆରମ୍ଭ କରିଥିଲେ । ଏଥିରୁ ଭଲ ରୋଜଗାର ହେବାରୁ ଏବେ ୬ଟି କୁଣ୍ଡରେ ସେ ମାଛ ଚାଷ କରୁଛନ୍ତି । ମାଛ ବିକ୍ରି କରିବା ସହ ମାଛ ଜାଅାଁଳ ମଧ୍ୟ ସେ ଉତ୍ପାଦନ କରୁଛନ୍ତି । ଏହି ଚାଷ କରି କାଇମନୀ ବାର୍ଷିକ ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ତେବେ ଶିଳ୍ପ ଜିଲ୍ଲା ଯାଜପୁରରେ ବେକାରୀ ସମସ୍ୟା ବଢୁଥିବା ବେଳେ ଦୃଢ଼ ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ କାଇମନୀଙ୍କୁ ସଫଳତା ଦେଇଛି ।