ବରଗଡର ପ୍ରଧାନଶିକ୍ଷକ ସମ୍ପତି ଦେଖି ଟେରା ହେଲା ଭିଜିଲାନ୍ସ ଟିମ୍ : ଠାବ କଲେ ୩ କୋଠା , ୧୨ ପ୍ଲଟକୁ ମିଶାଇ ୪ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତି

ମଙ୍ଗଳବାର ଗଜପତି ଜିଲ୍ଲାର ଜଣେ ସହକାରୀ ଶିକ୍ଷକଙ୍କ ଘରୁ ଠାବ ହୋଇଥିଲା ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

316

କନକ ବ୍ୟୁରୋ : ଦୁଇ ଦିନ ଭିତରେ ଦୁଇ ଜଣ କୋଟି ପତି ଶିକ୍ଷକଙ୍କୁ ଠାବ କରିଛି ଭିଜିଲାନ୍ସ । ଜଣେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗଇନ୍ଥାପାଲି ସ୍ଥିତ ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ । ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅମାପ ସମ୍ପତି ଦେଖି ଚକିତ ହୋଇଯାଇଛନ୍ତି ।

ଚଢ଼ାଉ ବେଳେ ତାଙ୍କର ଗୋଟିଏ ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ଏକ ମହଲା ଘର, ୧୨ଟି ପ୍ଲଟ, ଗୋଟିଏ ଚାରି ଚକିଆ କାର, ଗୋଟିଏ ଟ୍ରାକ୍ଟର, ୨ଟି ମଟର ସାଇକେଲ, ବିଭିନ୍ନ ବ୍ୟାଙ୍କରେ ୬ ଲକ୍ଷ ୪୨ ହଜାର ଜମା ଟଙ୍କା, ବିଭିନ୍ନ ଇନସୁରାନ୍ସ ପଲିସିରେ ୨୨ ଲକ୍ଷ ୬ ହଜାର ଟଙ୍କା, ୮ ଲକ୍ଷ ୫୦ ହଜାର ଟଙ୍କାର ସୁନା ଗହଣା, ବ୍ୟାଙ୍କ ଲକରରୁ ୫ ଳକ୍ଷ ୬୪ ହଜାର ଟଙ୍କା ମୂଲ୍ୟର ଅଳଙ୍କାର , ନଗଦ ୧୯ ଲକ୍ଷ ଟଙ୍କା ଠାବ ହୋଇଛି । ଏବଂ ତାଙ୍କ ସମ୍ପତ୍ତିର ପରିମାଣ ୪ କୋଟି ୨୬ ଲକ୍ଷ ୪୪ ହଜାର ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ନିକଟରୁ ୩କୋଟି ୨୭ ଲକ୍ଷ ୨୫ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଶିକ୍ଷକଙ୍କ ସମ୍ପତି ଭିତରେ ରହିଛି ଗୋଟିଏ ତିନି ମହଲା କୋଠା , ୫ଟି ଦୁଇ ମହଲା ଘର, ୮ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କା , ଏଲଆଇସି ଓ ସୁନା ଅଳଙ୍କାର । ଏତେ ପରିମାଣର ସମ୍ପତ୍ତି ଠାବ ହେବା ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଭିଜିଲାନ୍ସ ଦ୍ୱାରା ଗିରଫ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମଙ୍ଗଳବାର ଠାରୁ ତାଙ୍କ ଘରେ ଚଢାଉ ଚାଲିଥିଲା । ବୁଧବାର ଚଢାଉ ଶେଷ ସୁଦ୍ଧା ତାଙ୍କ ଠାରୁ ୨ କୋଟି ୩୩ ଲକ୍ଷ ଟଙ୍କାର ଆୟବର୍ହିଭୂତ ସମ୍ପତି ଠାବ ହୋଇଛି । ସଂବଲପୁର, ଦେବଗଡ, ଅନୁଗୋଳ, ଜଟଣୀ ଆଦି ସ୍ଥାନରେ ଜମି, ଦେବଗଡରେ ୧୬ ଏକର ଜମି ସହିତ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଏବଂ ଇନସୁରାନ୍ସ , ୨ଟି ଦାମୀ କାର, ସୁନାଗହଣା ଜବତ ହୋଇଛି ।