ରାଜଧାନୀରୁ ଗାଁରେ ପହଞ୍ଚିଲା ଶିକ୍ଷକ ଆନ୍ଦୋଳନ ! ଜନମତ ସୃଷ୍ଟି ପାଇଁ ଚାଲିଛି ପଦଯାତ୍ରା, ବନ୍ଦ ପଡ଼ିଛି ସ୍କୁଲ,କଲେଜ, ଜିଦରେ ଅଟଳ ଶିକ୍ଷକ ।

36

କନକ ବ୍ୟୁରୋ : ରାଜ୍ୟ ରାଜଧାନୀରୁ ଏବେ ଗାଁ ପହଂଚିଲା ଶିକ୍ଷକଙ୍କ ଆନ୍ଦୋଳନ । ମିଳିତ ଶିକ୍ଷକ ସଂଘ ଗାଁ ଗାଁ ବୁଲି ନିଜର ଦାବି ଉପସ୍ଥାପନ କରୁଛନ୍ତି । ସଂଘ ଲକ୍ଷ୍ୟ ରଖିଛି ଆନ୍ଦୋଳନରେ ସାମିଲ ହେବେ ତୃଣମୂଳ ସ୍ତରର ଲୋକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବା ବେଳେ ଏହି ଢଙ୍ଗରେ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି ଆନ୍ଦୋଳନକାରୀ ଶିକ୍ଷକ ।

ଶିକ୍ଷକଙ୍କ ଗାଁକୁ ଚାଲ ଅଭିଯାନ । ଜନମତ ସୃଷ୍ଟି ପାଇଁ ଚାଲିଛି ପଦଯାତ୍ରା । ରାଜଧାନୀରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନ ଏବେ ଜିଲ୍ଲା, ବ୍ଲକ୍, ପଂଚାୟତ ଦେଇ ଏବେ ଗାଁରେ ପହଂଚିଛି । ରାଲି ଓ ପ୍ରତିବାଦ ସଭା ଜରିଆରେ ଗାଁ ଗାଁରେ ବୁଲି ନିଜ ଦାବି ସଂପର୍କରେ ଲୋକଙ୍କୁ ଅବଗତ କରିବାର ପ୍ରୟାସ ଆରମ୍ଭ ହୋଇଛି । ଚାକିରି ସର୍ତାବଳୀରେ ସଂଶୋଧନ ଦାବିରେ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ କରୁଥିବା ଏହି ଆନ୍ଦୋଳନରେ ତୃଣମୂଳସ୍ତରର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ସଂଘ ।

କେନ୍ଦୁଝର ଜିଲ୍ଲା ହାଟଡ଼ିହିରେ ଶିକ୍ଷକମାନେ ପ୍ରତିବାଦ ସଭା ଜରିଆରେ ଲୋକଙ୍କୁ ନିଜର ଦାବି ସଂପର୍କରେ ଜଣାଇବାକୁ ପ୍ରସାୟ କରିଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳାରେ ଶିକ୍ଷକ ମାନେ ଚାଲି ଚାଲି ନିଜର ପ୍ରତିବାଦ ଜଣାଇଛନ୍ତି । ଆଉ ପୁରୀ ଜିଲ୍ଲା ଗୋପରେ ବାଇକ୍ ରାଲି କରି ଶିକ୍ଷକଙ୍କ ଆଭିମୁଖ୍ୟ ନେଇ ପ୍ରଚାର କରୁଛନ୍ତି ।

ଏସବୁ ଭିତରେ ମାସରୁ ଉଦ୍ଧ୍ୱର୍ ସମୟ ହେଲା ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ । ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ପୂରଣ ନେଇ ୩ମାସ ସମୟ ମାଗିଥିଲେ ସୁଦ୍ଧା ଏହାକୁ ଗ୍ରହଣ କରି ନାହିଁ ମିଳିତ ଶିକ୍ଷକ ମଂଚ । ବିଧାନସଭାରେ ଶିକ୍ଷକଙ୍କୁ ନେଇ ହଙ୍ଗାମା ହେଉଛି, ବିଧାନସଭା ବାହାରେ ଅହୋରାତ୍ର ଧାରଣା ଚାଲିଛି । ଏହାରି ଭିତରେ ପ୍ରାୟ ୩୦ ଲକ୍ଷ ପିଲାଙ୍କ ପାଠପଢ଼ା ନେଇ ସୃଷ୍ଟି ହୋଇଛି ଏକ ବଡ ପ୍ରଶ୍ନବାଚି । ଆଉ ନିଜ ଜିଦରେ ଅଟଳ ରହିଛନ୍ତି ଶିକ୍ଷକ ।