ଟିକାକରଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ, ଶିକ୍ଷକ ଓ ଛାତ୍ର ଛାତ୍ରୀମାନଙ୍କୁ ଦିଆଯାଉ ଅଗ୍ରାଧିକାର

111

କନକ ବ୍ୟୁରୋ : ଏବେ ବିଶ୍ୱରେ କରୋନା ସଂକ୍ରମଣ ହାର କମୁଥିବାରୁ ଏହାକୁ ନଜରରେ ରଖି ବିଭିନ୍ନ ଦେଶର ସରକାରମାନେ କରୋନା କଟକଣା କୋହଳ କରିବାରେ ଲାଗିଛନ୍ତି । ଏହାରି ଭିତରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ସଜବାଜ ହେଉଥିବା ବେଳେ ସ୍କୁଲ କର୍ମଚାରୀ ଓ ଛାତ୍ର ଛାତ୍ରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ତରଫରୁ ସୋମବାର ଦିନ କୁହାଯାଇଛି କି ଶିକ୍ଷକ, ଶିକ୍ଷାକର୍ମୀ ଓ ଛାତ୍ର ଛାତ୍ରୀମାନଙ୍କ ସରକାର ଅଗ୍ରାଧିକାର ଦେଇ ପ୍ରଥମେ ଟିକା ଯୋଗାଇ ଦିଅନ୍ତୁ ।

ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସିମାନେ କହିଛନ୍ତି କି ଯଦି ସ୍କୁଲ ଖୋଲିବାକୁ ଚାହୁଁଛନ୍ତି ତେବେ ସାରା ବିଶ୍ୱର ଶିକ୍ଷାନୁଷ୍ଠାନ ମାନଙ୍କରେ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯାଉ । ଟିକାକରଣ ଦ୍ୱାରା ସୁନିଶ୍ଚିନ୍ତ କରାଯାଇ ପାରିବ କି ବିନା ବିପଦରେ ଶ୍ରେଣୀ ଗୃହରେ ଶିକ୍ଷକ, ସ୍କୁଲ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ପାଠ ପଢିପାରିବେ ।

ଡବ୍ଲ୍ୟୁଏଚଓର ୟୁରୋପୀୟ କ୍ଷେତ୍ର ନିର୍ଦ୍ଦେଶକ ହେଂସ କ୍ଲୁଜ କହିଛନ୍ତି କି ପିଲାମାନଙ୍କୁ ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ କୋଶଳ ପାଇଁ ଟିକା କରଣ ସବୁଠାରୁ ଅତ୍ୟାବଶ୍ୟକ । ଏହାଦ୍ୱାରା ପିଲା ସୁସ୍ଥ ରହିବା ସହ ସମାଜରେ ଜଣେ ଦାୟିତ୍ୱବାନ ନାଗରିକ ହୋଇପାରିବ । ଏହାସହ ମହାମାରୀ ଦ୍ୱାରା ବିଶେଷ ଭାବେ ଶିକ୍ଷା ବ୍ୟବସ୍ଥା ଭୂଷୁଡି ପଡିଥିବା କଥା ସେ କହିଛନ୍ତି ।