କନକ ବ୍ୟୁରୋ : ଶିକ୍ଷକଙ୍କ ଧାରଣା ୭ଦିନରେ ପହଁଚିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଭିନ୍ନ ଭିନ୍ନ ଚିତ୍ର । ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ କେଉଁଠି ଶିକ୍ଷକମାନେ ପାଲା ଗାଇ ପ୍ରତିବାଦ ଜଣାଇଛନ୍ତି ତ ଆଉ କେଉଁଠି ଦାସ କାଠିଆ ବଜାଇ ପ୍ରତିବାଦ ଜଣାଇଛନ୍ତି ।ଆଉ କେତେକ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀ ଗୀତ ଗାଇ ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି ।

Advertisment

କେବଳ ନିଆରା ପ୍ରତିବାଦ ନୁହେଁ ସରକାରଙ୍କ ନାଲିଆଖି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଧାରଣା ସ୍ଥଳରେ ବଢ଼ିବାରେ ଲାଗିଛି ଶିକ୍ଷକଙ୍କ ସଂଖ୍ୟା । ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ସରକାର ସେମାନଙ୍କ ଦାବିକୁ ପୂରଣ କରୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଏଥର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ବଢ଼ିବାରେ ଲାଗିଛି ସମସର୍ଥନ । ବିରୋଧୀ ବିଜେପି ଓ କଂଗ୍ରେସ ନେତାମାନେ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଳକୁ ଯାଇ, ସମର୍ଥନ ଜଣାଇଛନ୍ତି । ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନଙ୍କ ନିକଟରେ ପହଁଚି ସମର୍ଥନ ଜଣାଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାୟଗଡ଼ା ଗସ୍ତରେ ଯାଇଥିବାବେଳେ ଶିକ୍ଷକଙ୍କ ୩ଦଫା ଆନ୍ଦୋଳନକୁ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି ।

ଶିକ୍ଷକ ଆନ୍ଦୋଳନ ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ପାଠ ପଢ଼ା ବନ୍ଦ ହୋଇଥିବାବେଳେ ବିଭାଗୀୟ ମନ୍ତ୍ରୀଙ୍କ ନୀରବତାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କରିଛନ୍ତି ଅଲ ଓଡିଶା ଷ୍ଟୁଡେଂଟ ଭଏସର ସଦସ୍ୟ । ଶିକ୍ଷକଙ୍କ ଦାବି ତୁରନ୍ତ ପୂରଣ କରିବା ସହ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବା ଦାବିରେ ମନ୍ତ୍ରୀଙ୍କ ବାସଭବନ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ତେବେ କେବଳ ପ୍ରାଥମିକ ଶିକ୍ଷକଙ୍କ ଧାରଣା ନୁହେଁ ହାଇସ୍କୁଲ ଶିକ୍ଷକମାନେ ମଧ୍ୟ ଆନ୍ଦୋଳନ କରିବାକୁ ସଜ ହେଉଛନ୍ତି ।