କନକ ବ୍ୟୁରୋ : ରାଜନୀତିରେ ଶିକ୍ଷକଙ୍କ ଆନ୍ଦୋଳନ । ସ୍କୁଲରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ସେପଟେ ଘରେ ବସି ଭବିଷ୍ୟତ ଖୋଜୁଛନ୍ତି ୪୦ ଲକ୍ଷ ଛାତ୍ରଛାତ୍ରୀ । ସାରା ରାଜ୍ୟରୁ ଏଭଳି ଚିତ୍ର ଆସୁଛି । ଘରୋଇ ସ୍କୁଲ ଗୁଡ଼ିକରେ ପରୀକ୍ଷା ଚାଲିଥିବା ବେଳେ ପ୍ରାୟ ୫୦ ହଜାରରୁ ଅଧିକ ସରକାରୀ ସ୍କୁଲରେ ତାଲା ପଡ଼ଛି ।  ସମୟ ବିତୁଛି, ଯିଏ ଯା ହକ କଥା କହୁଛନ୍ତି । ହେଲେ ଅପହଂଚ ଗାଁରୁ ଚାଲି ଚାଲି ପାଠ ପଢ଼ିବାକୁ ସ୍କୁଲ ଆସୁଥିବା ଗରିବ ପିଲାଙ୍କ କଥା ବୁଝୁଛି କିଏ । ଏବେ ଏହି ଆନ୍ଦୋଳନ ରାଜନୀତିରେ ଛନ୍ଦି ହେବାକୁ ବସିଲାଣି । ଦକ୍ଷିଣ ଓଡ଼ିଶାର ୨ ଟାଣୁଆ ନେତା ଏହି ଆନ୍ଦୋଳନକୁ ନେଇ  ମୁହାଁମୁହିଁ ହୋଇଛନ୍ତି । କେବଳ ମୁହଁ ଖୋଲି ନାହାନ୍ତି ବରଂ ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ବଳ ଦେଖାଇଛନ୍ତି । ଜୟପୁର ବିଧାୟକ ତାରା ବାହିନିପତି କହିଛନ୍ତି ନିଜର ହକ ମିଳିବା ପର୍ଯ୍ୟନ୍ତ ଲଢ଼େଇ କରନ୍ତୁ । ପିଲାଙ୍କ ଭବିଷ୍ୟତ  ଉପରେ ଫୁଟବଲ ଖେଳୁଛନ୍ତି ରାଜ୍ୟ ସରକାର । ସେପଟେ ବିଜେଡିର ବରିଷ୍ଠ ନେତା ରବି ନନ୍ଦ କହୁଛନ୍ତି ଆନ୍ଦୋଳନରୁ ଓହରି ଯାଆନ୍ତୁ, ସରକାର ସବୁ କଥା  ବୁଝିବେ । ଶିକ୍ଷକମାନେ ଆନ୍ଦୋଳନ ନକରି ନିଜ ନିଜ କର୍ମ କ୍ଷେତ୍ରକୁ ଯିବା ଦରକାର । ପିଲାଙ୍କ ଭବିଷ୍ୟତ କଥା ଦେଖିବା ଦରକାର ।

Advertisment

ସେହିଭଳି ରାଜ୍ୟ ଶିକ୍ଷକ ସଙ୍ଘ ଆହ୍ୱାନ କ୍ରମେ ୩ ଦଫା ଦାବି ନେଇ କନ୍ଧମାଳ ଜିଲ୍ଲାରେ ଶିକ୍ଷକଙ୍କ ଧାରଣା ଜାରି ରହିଛି । ଗୀତ-ନାଚ ମାଧ୍ୟମରେ ସରକାରଙ୍କୁ ନିଜ ଦାବି ଜଣାଇଛନ୍ତି । ବର୍ଷା ସତ୍ୱେ କନ୍ଧମାଳ ଜିଲ୍ଲା ୧୨ଟି ବ୍ଲକର ୧ହଜାର ୬୨୦ ବିଦ୍ୟାଳୟର ଆଠ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି । ବାଲିଗୁଡା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଛତା ଧରି, ରେନ କୋର୍ଟ ପିନ୍ଦି ଗୀତ ନାଚ ମାଧ୍ୟମରେ ସରକାରଙ୍କୁ ଅନୁରୋଧ ଓ ନିବେଦନ କରିଛନ୍ତି ।