ଗୁରୁଦିବସରେ ଏମିତି ଜଣେ ଗୁରୁଜୀ…ବିରାଟ ପଟୁଆରରେ ଅନନ୍ତ ସାରଙ୍କୁ ପରିକ୍ରମା କରାଇଲେ ଛାତ୍ରଛାତ୍ରୀ ।

108

କନକ ବ୍ୟୁରୋ: ବେକରେ ଫୁଲ ମାଳ, କାନ୍ଧରେ ନୂଆ ଚାଦର ଆଉ ମୁଣ୍ଡରେ ଚନ୍ଦନ ଟିପା । ପଛେ ପଛେ ବାଜାବାଣ ରୋଷଣୀ । ଆପଣଙ୍କୁ ଲାଗୁଥିବ ଏହା କୌଣସି ନିର୍ବାଚନ ରାଲିର ଦୃଶ୍ୟ । ହୁଏତ ନିର୍ବାଚନ ପୂର୍ବରୁ ଏହା କୌଣସି ବଡ଼ ନେତାଙ୍କ ରୋଡ୍ ଶୋ’ କିମ୍ବା କିଏ ଜଣେ ମନ୍ତ୍ରୀ ହୋଇଥିବେ ଯାହାଙ୍କୁ ଏମିତି ସ୍ୱାଗତ କରାଯାଉଛି । ହେଲେ ଛତା ତଳେ ସମ୍ବର୍ଦ୍ଧିତ ହେଉଥିବା ଏହି ବ୍ୟକ୍ତିଙ୍କ ପରିଚୟ ଆଜି ଗୁରୁଦିବସର ଗାରିମା ବଢ଼ାଇ ଦେଇଛି । ଜଣେ ଅବସର ନେଉଥିବା ଶିକ୍ଷକଙ୍କୁ ଏମିତି ପାଛୋଟି ନେଉଥିବାର ଦୃଶ୍ୟ ଗୁରୁଶିକ୍ଷ୍ୟ ପରମ୍ପରାକୁ ପୁଣି ମନେ ପକାଇଦେଇଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗୋସିଗାଁର ଅବସର ନେଉଥିବା ଶିକ୍ଷକ ଅନନ୍ତ ଚରଣ ରାଉତ । ସାଧାରଣ ଚାଲିଚଳଣି, ବାହୁରେ ବଳ ନଥାଉ କିନ୍ତୁ ମୁଣ୍ଡରେ ଅମାପ ଜ୍ଞାନର ଭଣ୍ଡାର । ଦୀର୍ଘ ୪୦ ବର୍ଷ ଧରି ନିଜ ଶିକ୍ଷକତା ଜୀବନରେ ଅନେକ ପିଲାଙ୍କ ଭବିଷ୍ୟତ ଗଢିବା ପରେ ଏବେବି ପରିଣତ ବୟସରେ ଜ୍ଞାନ ବାଣ୍ଟି ଚାଲିଛନ୍ତି । ପିଲାଙ୍କ ପାଇଁ ପଥପଦର୍ଶକ ପାଲଟି ଆଗାମୀ ଭବିଷ୍ୟତ ଗଢୁଛନ୍ତି ଅନନ୍ତ ସାର୍ । ନିସ୍ୱାର୍ଥପର ଶିକ୍ଷାଦାନ ଏବଂ ଭଲ ମନ୍ଦ ଶିକ୍ଷା ଦେଇ ଗୁରୁ-ଶିଷ୍ୟର ଗୌରବମୟ ଅଧ୍ୟାୟ ସୃଷ୍ଟି କରି ଚାଲିଛନ୍ତି ଅନନ୍ତ ସାର୍ । ସେଥିପାଇଁ ଆଦର୍ଶ ସାର୍ ଅନନ୍ତ ଚରଣ ରାଉତଙ୍କ ଅବସର ସମୟରେ ଏମିତି ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରୁଛନ୍ତି ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ।

ଅନନ୍ତ ସାର୍ ୧୦ ବର୍ଷ ସାନବଡ ଗୋପାଳପୁରର ବୀଣାପାଣି ପ୍ରାଥମିକ ବିଦ୍ୟାଳୟରେ ଚାକିରୀ କରି ଆସୁଥିଲେ । ଏହାପରେ ତାଙ୍କର କୋଇଲିପୁର ତେତେଲେଙ୍ଗା ବିଦ୍ୟାଳୟକୁ ବଦଳି ହୋଇଥିଲା । ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ସହ ନୀତିଶିକ୍ଷା, ସମାଜର ଚାଲି ଚଳଣୀ ଶିକ୍ଷା ମଧ୍ୟ ଦେଉଥିଲେ । ତାହା ସହ ବିଦ୍ୟାଳୟର ଉନ୍ନତୀକରଣ ଦିଗରେ ଅନନ୍ତ ସାରଙ୍କ ଥିଲା ପ୍ରମୁଖ ଭୂମିକା । ସେ ଆଜି ଚାକିରି ଜୀବନରୁ ଅବସର ନେଇଛନ୍ତି ସତ କିନ୍ତୁ ଅନନ୍ତ ସାର ଅବସର ନେବା ପରେ ସେହି ଗାଁ ଛାତ୍ର ଛାତ୍ରୀ ଓ ଅଭିଭାବକ ତାଙ୍କୁ ଭବ୍ୟ ପଟୁଆରାରେ ଗାଁ ପରିକ୍ରମା କରାଇ ତାଙ୍କ ଘରେ ଛାଡିଛନ୍ତି ।

ସତରେ ପୁରାଣ ଓ ଇତିହାସରେ ଗୁରୁ ଶିଷ୍ୟଙ୍କ ପବିତ୍ର ସଂପର୍କ ବିଷୟରେ ଅନେକ ଉଦାହରଣ ଅଛି । ହେଲେ ଆଜିର ଆଧୁନିକ ସମାଜରେ ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ଶ୍ରଦ୍ଧା ସମ୍ମାନ ଅନେକାଂଶରେ କମିଯାଇଥିବା ବେଳେ ଗୋସିଗାଁର ଅନନ୍ତ ସାରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କେଉଁଠି ନା କେଉଁଠି ଗୁରୁ-ଶିଷ୍ୟ ପରମ୍ପରା ବଞ୍ଚି ରହିଛି ବୋଲି ପ୍ରମାଣିତ କରିଛି ।