କନକ ବ୍ୟୁରୋ: ଖାଲି ଢେଙ୍କନାଳର ଶିକ୍ଷୟିତ୍ରୀ ବିନୋଦିନୀ ସାମଲ କାହିଁକି, ରାଜ୍ୟର ଆଉ କେତେକ ସ୍ଥାନରେ ସ୍କୁଲ୍କୁ ଯିବା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଜୀବନ ବାଜି ଲଗାବାକୁ ପଡ଼ୁଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏବେ ଏହିଭଳି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଯେଉଁଠି ୫ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନଈ ପାର୍ ହୋଇ କିମ୍ବା ଜଙ୍ଗଲ ପାର୍ ହୋଇ ପ୍ରତିଦିନ ସ୍କୁଲ୍କୁ ଯାଉଛନ୍ତି।
ହାଟଡିହି ବ୍ଲକ୍ ଅନ୍ତର୍ଗତ ହଦଗଡ଼ ପଞ୍ଚାୟତରେ ରହିଛି ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୭୩ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ଶିକ୍ଷାଦାନ ପାଇଁ ପ୍ରଧାନଶିକ୍ଷକ ପୀତବାସ ପ୍ରଧାନ, ଲକ୍ଷ୍ମୀ ନାରାୟଣ ନାୟକ, ଆକାଶ କୁମାର ସାହୁ, ଦୁର୍ଗାପ୍ରସାଦ କର, ପ୍ରମିଳା ବେହେରାଙ୍କ ସମେତ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଏହି ବିଦ୍ୟାଳୟକୁ ଯିବାପାଇଁ କୌଣସି ରାସ୍ତା ନାହିଁ। ହାଟଡିହି ବ୍ଲକଠାରୁ ଏହାର ଦୂରତା ୪୦ କିଲୋମିଟର ଦୂର। ହଦଗଡ଼ଠାରୁ ଜଳଭଣ୍ଡାର ମଧ୍ୟଦେଇ ଜଳପଥରେ ୮କିଲୋମିଟର ଗଲେ ପଡ଼ିବ ଦଲକି ଗ୍ରାମ। ଏଠାକୁ ଜଳପଥରେ ଯିବାର ଏକମାତ୍ର ଭରସା ହୁଲି ଡଙ୍ଗା। ନିଜ ଜୀବନକୁ ବାଜି ଲଗାଇ ପ୍ରଧାନଶିକ୍ଷକ ପୀତବାସ ପ୍ରଧାନ ଓ ଲକ୍ଷ୍ମୀନାରାୟଣ ନାୟକ ହୁଲି ଡଙ୍ଗାରେ ସ୍କୁଲକୁ ଯିବାଆସିବା କରୁଛନ୍ତି। ସେହିପରି ଅନ୍ୟ ତିନିଜଣ ଶିକ୍ଷକ ଆକାଶ ସାହୁ, ପ୍ରମିଳା ବେହେରା, ଦୁର୍ଗାପ୍ରସାଦ କର ପ୍ରମୁଖ ୧୨କିଲୋମିଟର ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟଦେଇ ନିୟମିତ ସ୍କୁଲକୁ ଯାତାୟାତ କରୁଛନ୍ତି। ଏହି ଜଙ୍ଗଲ ମଧ୍ୟଦେଇ ଯିବାବେଳେ ସେମାନେ ୮ଟି ନାଳ ଅତିକ୍ରମ କରୁଛନ୍ତି। ଅନେକ ସମୟରେ ହାତୀ ସହ ମୁହାଁମୁହିଁ ହେଉଛନ୍ତି। ଯଦି କେତେବେଳେ ବର୍ଷା ହୋଇଯାଉଛି ତ ନାଳଗୁଡ଼ିକରେ ପ୍ରବଳ ସ୍ରୋତ ଆସୁଛି। ନାଳ ପାଣି ଯୋଗୁଁ ରାସ୍ତାରେ ଦୁଇ ତିନିଘଣ୍ଟା ଅଟକିବା ସହ କୌଣସି ସହଯାତ୍ରୀଙ୍କୁ ସାଙ୍ଗରେ ନନେଲେ ଏକୁଟିଆ ଯିବା ଅସମ୍ଭବ ହୋଇପଡ଼େ।
ଏପରି ସମସ୍ୟାରେ ଜର୍ଜରିତ ହେଉଥିଲେ ହେଁ ଶିକ୍ଷକଶିକ୍ଷୟିତ୍ରୀମାନେ କେବେ ବି ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ ନକରି ବିଦ୍ୟାଳୟକୁ ଏକ ସରସସୁନ୍ଦର ବିଦ୍ୟାଳୟ ଭାବେ ଗଢ଼ି ତୋଳିଛନ୍ତି। ଏହି ବିଦ୍ୟାଳୟକୁ ଚଳିତବର୍ଷ ପ୍ରକୃତିମିତ୍ର ପୁରସ୍କାର ଦିଆଯାଇଛି। ଏହି ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ଓ ପ୍ରଧାନଶିକ୍ଷକ ପୀତବାସ ପ୍ରଧାନଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ତଥାପି ଅପହଞ୍ଚ ଇଲାକାର ଆଦିବାସୀ ଶିଶୁମାନେ ଶିକ୍ଷାର ଆଲୋକରେ ଉଦ୍ଭାସିତ ହେଉଛନ୍ତି।
Follow Us
/kanak/media/post_attachments/wp-content/uploads/2019/09/333-300x161.png)
/kanak/media/post_attachments/wp-content/uploads/2018/11/male-teacher-teaching-students-india-school-rural_81069504-9970-11e7-baba-4acd69b87684-300x169.jpg)