କନକ ବ୍ୟରୋ: ରାତି ପାହିଲେ ଛାତ୍ରଛାତ୍ରୀଙ୍କ ଚିନ୍ତା । କେମିତି ପଢିବେ କେମିତି ଆଗକୁ ବଢିବେ ଅହରହ ସାରଙ୍କୁ ଘାରୁଛି ଏଇ ଚିନ୍ତା । ଦିନ ରାତି ଛାତ୍ରଛାତ୍ରୀଙ୍କ ପାଇଁ ଲାଗିପଡିଛନ୍ତି । ତାଙ୍କର ଏହି ଅଦମ୍ୟ ଚେଷ୍ଟା ହିଁ ତାଙ୍କୁ ଆଣିଦେଇଛି ପରିଚୟ ଓ ପ୍ରଶଂସା । କେବଳ ସ୍ଥାନୀୟ ଲୋକଙ୍କ ପାଇଁ ନୁହେଁ ଶିକ୍ଷା କ୍ଷେତ୍ରରେ ସେ ପାଲଟିଛନ୍ତି ଜଣେ ଆଦର୍ଶ । ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡା ୟୁଜିୟୁପି ବିଦ୍ୟାଳୟର ସହକାରୀ ଶିକ୍ଷକ ନିର୍ମଳ ମିଶ୍ରଙ୍କ କଥା ।
କରୋନା ପାଇଁ ପାଖାପାଖି ଦେଢ ବର୍ଷ ହେଲା ବନ୍ଦ ହେଲାଣି ବିଦ୍ୟାଳୟ । ଶିକ୍ଷା ବ୍ୟବସ୍ଥା ଯେମିତି ଏକ ଅନ୍ଧାରୀ ଇଲାକାକୁ ଠେଲି ହୋଇଯାଇଛି । ଏପରି ସ୍ଥଳେ ଛାତ୍ରଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ନିର୍ମଳ ସାର୍ । ଅନ୍ ଲାଇନ୍ କ୍ଲାସ୍ ପାଇଁ ଗାଁଗହଳିର ସବୁ ପିଲାଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍ । ଫୋନ୍ ଜରିଆରେ ପଢାଯାଉଥିବା ପାଠ ଯେ ସବୁ ପିଲା ବୁଝୁଛନ୍ତି ତାହା ବି ଠିକ ନୁହେଁ । ଛାତ୍ରଛାତ୍ରୀଙ୍କ ଏସବୁ ସମସ୍ୟାର ସମାଧାନ ପାଇଁ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆରମ୍ଭ କରିଛନ୍ତି ଏକ ପ୍ରେରଣାଦାୟୀ କାର୍ଯ୍ୟ । ଏହାସହ ମନ୍ଦିର ବେଢା ହେଉ କି ଖୋଲା ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପାଠ ବୁଝାଉଝନ୍ତି । ଘରଘର ବୁଲି ମଧ୍ୟ ପିଲାଙ୍କୁ ପାଠ ବୁଝାଉଛନ୍ତି । ଅନଲାଇନ୍ ପାଠ ପଢିବାରେ ଯେଉଁମାନଙ୍କୁ ସମସ୍ୟା ହେଉଛି ସେମାନଙ୍କୁ ମୋବାଇଲ ଓ ନିଜ ଲ୍ୟାପଟପ୍ ମାଧ୍ୟମରେ ସେସବୁ ବୁଝାଇଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ସାରଙ୍କ ଏପରି କାର୍ଯ୍ୟରେ ଛାତ୍ରଛାତ୍ରୀ , ଅଭିଭାବକ ସମସ୍ତେ ଖୁସି । ଏଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ମାନପତ୍ର ।
କର୍ମ ହିଁ ଭଗବାନ୍ । ଏହି ଉକ୍ତିକୁ ଯଥାର୍ଥ କରିପାରିଛନ୍ତି ଶିକ୍ଷକ ନିର୍ମଳ ମିଶ୍ର । କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ନିସ୍ୱାର୍ଥପର ସେବା ଅବ୍ୟକ୍ତ ଆନନ୍ଦ ଦେଉଥିବା କହିଛନ୍ତି ନିର୍ମଳ ମିଶ୍ରଙ୍କ । କେବଳ ଶିକ୍ଷା ନୁହେଁ କ୍ରୀଡା ଓ ପରିବେଶ ସୁରକ୍ଷା ଦିଗରେ ବି ତାଙ୍କର ବେଶ୍ ଭଲ ଦଖଲ ରହିଛି । ଓଡିଶା କ୍ରିକେଟ ଆସୋସିଏନ୍ ଓ ଫୁଟବଲ ଆସୋସିଏସନ୍ କୁ ପ୍ରତିନିଧିତ୍ୱ କରୁଥିବା ନିର୍ମଳ ସାର ଖାଲି ପାଠ ପଢା ନୁହେଁ ଶରୀରିକ ଭାବେ ଛାତ୍ରଛାତ୍ରୀଙ୍କୁ ସୁଦୃଢ କରିବାକୁ ଚେଷ୍ଟା ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ଆୟୋଜନ କରୁଛନ୍ତି କ୍ରୀଡା ପ୍ରତିଯୋଗିତା ।
ନିର୍ମଳ ସାରଙ୍କ ଏପରି ଇଚ୍ଛାକୃତ କାର୍ଯ୍ୟ ଶିକ୍ଷକ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଥିବାବେଳେ ଶିକ୍ଷା କ୍ଷେତ୍ରରେ ଜଣେ ଆଦର୍ଶ ନିଶ୍ଚୟ ।