ପୁଣି ଚର୍ଚ୍ଚାରେ କୋରାପୁଟ ଲମତପୁଟର ଡ୍ୟାନ୍ସିଂ ସାର । ତିଆରି କଲେ ଅନନ୍ୟ ଉଦାହରଣ । ପୁଅର ଦେହାନ୍ତ ପରେ ତିଆରି କଲେ ଶବ ଦାହ ମଣ୍ଡପ

ହିମାଚଳରେ ପାହାଡ ଚଢିବାକୁ ଯାଇ, ଆଉ ଫେରିନଥିଲା ପୁଅ

2,470

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ କୋରାପୁଟ ଲମତାପୁଟର ଡ୍ୟାନ୍ସିଂ ସାର । କିନ୍ତୁ ଏଥର ଚର୍ଚ୍ଚା ତାଙ୍କର ନିଆରା ପାଠପଢା ଶୈଳୀକୁ ନେଇ ନୁହେଁ । ବରଂ ଭିନ୍ନ କାରଣକୁ ନେଇ । ନାଚ, ଗୀତ ମାଧ୍ୟମରେ ସରକାରୀ ସ୍କୁଲର ଛୋଟଛୋଟ ପିଲାଙ୍କୁ ପାଠ ପଢାଉଥିବା ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଠୀ, ତିଆରି କରିଛନ୍ତି ଏକ ଶବ ଦାହ ମଣ୍ଡପ । କାହିଁକି?

 

ନାଚ, ଗୀତ ମାଧ୍ୟମରେ ସରକାରୀ ସ୍କୁଲର ଛୋଟ ଛୋଟ ପିଲାଙ୍କୁ ପାଠ ପଢାଉଥିବା ଏହି ବ୍ୟକ୍ତି କୋରାପୁଟ ଲମତାପୁଟ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଠୀ । ସାଧାରଣତଃ ଇଂରାଜୀ ମାଧ୍ୟମ ସ୍କୁଲରେ ଏଭଳି ପାଠପଢା ଶୈଳୀ ଦେଖିବାକୁ ମିଳୁଥିବାବେଳେ, ଓଡିଆ ମାଧ୍ୟମ ସରକାରୀ ସ୍କୁଲରେ ଏଭଳି ନିଆରା ଢଙ୍ଗରେ ପାଠ ପଢାଇ ବେଶ ଚର୍ଚ୍ଚାକୁ ଆସିଥିଲେ ଶିକ୍ଷକ ଜଣକ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ପାଇଁ ସାର ଏଭଳି ପାଠ ପଢାଉଥିବାର ଚିତ୍ର ପୂର୍ବରୁ କନକ ନ୍ୟୁଜରେ ଆପଣ ଦେଖିସାରିଛନ୍ତି ।

ସ୍କୁଲରେ ପିଲାଙ୍କ ମେଳରେ ପିଲା ପାଲଟି ଯାଉଥିବା ପ୍ରଫୁଲ୍ଲ ସାରଙ୍କ ଘରେ କିନ୍ତୁ ଅସମ୍ଭବ ନିରବତା । ଆଉ ଏହି ନିରବତାକୁ ଚିରି ପକାଉଥିବା କାନ୍ଦ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଶତପଥୀଙ୍କର । ସାର ଓ ତାଙ୍କ ପତ୍ନୀଙ୍କ ଆଖିରେ ଲୁହର କାରଣ ଜାଣିଲେ କଠୋର ହୃଦୟ ବି ତରଳିଯିବ । ୨୦୧୮ ମସିହା ମେ ୧ ତାରିଖ ପାଠୀ ପରିବାର ପାଇଁ ନେଇ ଆସିଥିଲା ଦୁଃଖର ପାହାଡ । କାରଣ ପାହାଡ ଚଢିବାର ନିଶାରେ ଘରୁ ବାହାରି ଯାଇଥିବା ଭେଣ୍ଡିଆ ପୁଅ ଆଉ ଫେରିନଥିଲା । ଆସିଥିଲା ତାର ମୃତ୍ୟୁ ଖବର ।

୪ ଜଣ ସାଙ୍ଗଙ୍କ ସହିତ ହିମାଚଳରେ ପାହାଡ ଚଢିବାକୁ ଯାଇଥିବା ପୁଅ ଆଉ ଦେହଧରି ଫେରିନାହିଁ । ମାଆ ପାଖରେ ରହିଯାଇଛି କେବଳ ତାର ମୋବାଇଲ । ଯେଉଁ ମୋବାଇଲରେ ପୁଅର ଫଟୋକୁ ଦେଖି ପୁରୁଣା ସ୍ମୃତିକୁ ସାଉଁଟୁଛନ୍ତି ବାପା, ମାଆ । ଭୁବନେଶ୍ୱର ଟିସିଏସରେ ସ୍ରଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିବା ପୁଅ ଆଶୁତୋଷର ପାହାଡ ଚଢିବା ପାଇଁ ଥିଲା ଅସମ୍ଭବ ନିଶା । ପୁଅର ବିବାହ ସ୍ଥିର ହୋଇସାରିଥିଲା । ବାହାଘର ପରେ କାଳେ ଆଉ ସ୍ୱାଧୀନତା ମିଳିବନି ସେହି ଆଶଙ୍କାରେ ଶେଷଥର ପାଇଁ ହିମାଚଳରେ ପାହାଡ ଚଢିବାକୁ ଯାଇଥିଲା ପୁଅ । ଅକ୍ସିଜେନ ଅଭାବରୁ ଆଉ ପାହାଡ ଶିଖରକୁ ଯାଇପାରିଲେନି ଆଶୁତୋଷ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ।

ପୁଅ ତ ଫେରିଲାନି, ଏବେ ତାର ସ୍ମୃତିକୁ ସାଇତି ରଖିବା ପାଇଁ ନିଆରା ପ୍ରୟାସ କରିଛନ୍ତି ଡ୍ୟାନ୍ସିଂ ସାର । ନିଜସ୍ୱ ଖର୍ଚ୍ଚରେ ତିଆରି କରିଛନ୍ତି ଏକି ଶବ ଦାହ ମଣ୍ଡପ । ପୁଅ ନାଁରେ ନିର୍ମାଣ କରିଛନ୍ତି ଆଶୁତୋଷ ଶବ ମଣ୍ଡପ ।  ନାଚି, ଗାଇ ନିଆରା ଶୈଳୀରେ ଛୋଟଛୋଟ ପିଲାଙ୍କୁ ପାଠ ପଢାଉଥିବା ଜଣେ ଶିକ୍ଷକଙ୍କ ଛାତି ଭିତରେ ଯେ, ଏତେ କୋହ ଭରିରହିଛି, ତାହା କାହାକୁ ଜଣାଥିଲା । ସତରେ ଡ୍ୟାନ୍ସିଂ ସାର ଆପଣଙ୍କ ପାଠପଢା ଶୈଳୀ ଓ ଆପଣଙ୍କ ଜୀବନ ସଂଘର୍ଷର କାହାଣୀ ସମସ୍ତଙ୍କ ପାଇଁ ବିରାଟ ପ୍ରେରଣାର ଶ୍ରୋତ ।