ଗୁରୁଦିବସରେ ଗୁରୁଙ୍କ ଦୟନୀୟ ସ୍ଥିତି । ପ୍ରବଳ ବର୍ଷାରେ ପଲିଥିନ ତଳେ ରହି ନିଜର ଦାବି ପୂରଣ କରିବାକୁ ସରକାରଙ୍କୁ ଗୁହାରି କଲେ ଶିକ୍ଷକ

48

କନକ ବ୍ୟୁରୋ : ଗୁରୁଦିବସରେ ଗୁରୁଙ୍କ ଦୟନୀୟ ସ୍ଥିତି । ପ୍ରବଳ ବର୍ଷାରେ ପଲିଥିନ୍ ତଳେ ଧାରଣାରେ ବସିଛନ୍ତି ଶିକ୍ଷକ । ନ୍ୟାର୍ଯ୍ୟ ଦାବି ପୂରଣ ନହେବାରୁ ଆଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଛନ୍ତି ଆନ୍ଦୋଳନରତ ଶିକ୍ଷକ । ବ୍ଲକ ଗ୍ରାଂଟ ବ୍ୟବସ୍ଥା ଉଚ୍ଛେଦ କରି ଚାକିରି ସର୍ତାବଳୀ ସହ ଯୋଗ୍ୟତା ଦିନରୁ ପୂର୍ଣ୍ଣ ଅନୁଦାନ ଦାବି କରୁଛନ୍ତି ଶିକ୍ଷକ, ଅନ୍ୟପଟେ ମନ୍ତ୍ରୀ କହିଛନ୍ତି , ଶିକ୍ଷକଙ୍କ ଦାବି ପୂରଣ ପାଇଁ ଉଦ୍ୟମ କରୁଛନ୍ତି ସରକାର । ସେପଟେ ଏହି ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି ।

ଅତୀତର ଗୁରୁ-ଶିଷ୍ୟ ପରମ୍ପରା ଆଉଁ ନାହିଁ । ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକଙ୍କ ଭୂମିକାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ତେଣୁ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ରାଜ୍ୟର ଶିକ୍ଷକମାନଙ୍କ ଏହି ଦୟନୀୟ ସ୍ଥିତିକୁ ନେଇ ଚର୍ଚ୍ଚା । ଗୁରୁଦିବସରେ ନିଜ ପ୍ରିୟ ଶିକ୍ଷକଙ୍କ ପାଇଁ ଗୁରୁଦକ୍ଷିଣା ବା ଅନ୍ୟ ଅର୍ଥରେ ଉପହାରଟିଏ ଧରି ଆଶୀର୍ବାଦ ପାଇବାକୁ ଅନାଇ ବସିଥିବେ ଛାତ୍ରଛାତ୍ରୀ । ହେଲେ ବିଡମ୍ବନା ରାଜଧାନୀ ରାଜରାସ୍ତାର ଆନ୍ଦୋଳନସ୍ଥଳରୁ ଶିଷ୍ୟଙ୍କ ପାଇଁ ଆଶୀର୍ବାଦର ହାତ ବଢାଇ ଦେବାକୁ ପଡୁଛି । ପ୍ରବଳ ବର୍ଷାରେ ପଲିଥିନ ତଳେ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଶିକ୍ଷକଙ୍କୁ ସରକାରଙ୍କ ସହ ମୁହାଁମୁହିଁ ହେବାକୁ ପଡିଛି । ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି ।

ସମାନ କାମକୁ ସମାନ ଦରମା ଦାବି କରି ପୁଣି ଧାରଣାକୁ ଓହ୍ଲାଇଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ । ବ୍ଲକ ଗ୍ରାଂଟ ବ୍ୟବସ୍ଥା ଉଚ୍ଛେଦ କରି ଚାକିରି ସର୍ତାବଳୀ ସହ ଯୋଗ୍ୟତା ଦିନରୁ ପୂର୍ଣ୍ଣ ଅନୁଦାନ ଦାବି କରିଛି । କାରଣ ସରକାର ସବୁ ଦାବି ପୂରଣ କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଫାଙ୍କି ଦେଇଛନ୍ତି । ସେପଟେ ଗୁରୁଦିବସରେ ଗୁରୁମାନଙ୍କ ଦୟନୀୟ ସ୍ଥିତିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ମୌକା ମିଳିଯାଇଛି । ଉଭୟ ବିଜେପି ଓ କଂଗ୍ରେସ ନେତା ଲୋୟର ପିଏମଜିରେ ପହଂଚି ଶିକ୍ଷକମାନଙ୍କୁ ନୈତିକ ସମର୍ଥନ ଜଣାଇଛନ୍ତି ।

ଆନ୍ଦୋଳନ ସ୍ଥଳରେ ଶିକ୍ଷକମାନଙ୍କୁ ସମର୍ଥନ ଜଣାଇବା ପରେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛି ବିଜେପି । ଗୃହରୁ ମଧ୍ୟ ଭାଗକୁ ଆସି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ବିଜେପି ସଦସ୍ୟ । କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ବିଜେଡିକୁ କାଠଗଡାରେ ଛିଡା କରାଇଛି । ଶିକ୍ଷକଙ୍କ ପ୍ରତି ସରକାର ସଠତା କରିଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିରୋଧୀ ଦଳ । ସରକାର, ଶିକ୍ଷକ ଓ ବିରୋଧୀ । ଦାବି ପୂରଣ ଲାଗି ଶିକ୍ଷକଙ୍କୁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ପଡୁଛି । ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ସରକାରଙ୍କଠୁ ପ୍ରତିଶ୍ରୁତି ବି ମିଳୁଛି । ହେଲେ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ବିରୋଧୀଙ୍କୁ ଟିକ୍କା ଟିପ୍ପଣୀ ପାଇଁ ମୌକା ମିଳୁଛି । ଆଉ ଏହାରି ଭିତରେ ବ୍ଲକ ଗ୍ରାଂଟ ସ୍କୁଲରେ ପ୍ରଭାବିତ ହେଉଛି ଛାତ୍ରଛାତ୍ରୀଙ୍କ ପାଠପଢା । ତେଣୁ ସରକାର କୌଣସି ସକାରାତ୍ମକ ରାସ୍ତା ବାହାର କରିବେ ବୋଲି ଆଶା କରାଯାଉଛି ।