କନକ ବ୍ୟୁରୋ : ୧୦ ଦିନ ଧରି ୧୦ଟି ଶିକ୍ଷକ ସଂଘଠନ ତିନି ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଫଳରେ ରାଜ୍ୟରେ ପାଠପଢା ଠପ୍ ହୋଇଯାଇଥିଲା । ଆନ୍ଦୋଳନକୁ ସୋମବାର କିଛି ଦିନ ପାଇଁ ସ୍ଥଗିତ ରଖିଥିଲା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡରେସନ । ଫେଡରେସନର ମହାସଚିବ ଚାରୁଲତା ମହାପାତ୍ର ଗଣମାଧ୍ୟମ ସମ୍ମୁଖରେ କହିଥିଲେ ଦାବି ପୂରଣ ପାଇଁ ସରକାର ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ନେଇଛନ୍ତି । ସେଥିପାଇଁ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । ସେପଟେ ଅନ୍ୟ ଆଠଟି ସଂଗଠନ ଏହାକୁ ବିରୋଧ କରିଥିଲେ । ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ଡିଭାଇଡ ଆଣ୍ଡ ରୁଲ ଅର୍ଥାତ୍ ବିଭାଜନ ମାଧ୍ୟମରେ ଶାସନ କରି ଶିକ୍ଷକ ସଂଗଠନକୁ ଦୁଇ ଭାଗ କରିଛନ୍ତି । ଦୁଇଟି ସଂଗଠନ ଆନ୍ଦୋଳନରୁ ଓହରିଛନ୍ତି କିନ୍ତୁ ଅନ୍ୟ ଆଠଟି ସଂଗଠନ ଆନ୍ଦୋଳନ ଜାରି ରଖିବେ ଯେ ପର୍ଯ୍ୟନ୍ତ ଦାବି ପୁରଣ ହୋଇନାହିଁ ବୋଲି କହିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବ୍ରହ୍ମାନନ୍ଦ ମହାରଣା । ସେପଟେ ଆନ୍ଦୋଳନରତ ଶିକ୍ଷକଙ୍କ ସ୍ୱରରେ ସ୍ୱର ମିଳାଇଛି ବିରୋଧୀ ବିଜେପି ।

Advertisment

ଗଣେଷ ଚତୁର୍ଥୀରେ ଧାରଣାସ୍ଥଳରେ ଗଜାନନଙ୍କ ପୂଜାର୍ଚ୍ଚନା କରିଛନ୍ତି ଆନ୍ଦୋଳନରତ ଶିକ୍ଷକ । ପୁରୀ ସଦର ବ୍ଲକ୍ର ୨୪୦ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟୀତ୍ରୀମାନେ ଲଗାତାର ଆନ୍ଦୋଳନ ଜାରି ରଖିଛନ୍ତି । ପୁରୀ ବିଇଓ ଅଫିସ ସମ୍ମୁଖରେ ଶତାଧୀକ ଶିକ୍ଷକ ଶିକ୍ଷୟିତ୍ରୀ ଗଜାନନଙ୍କ ପୂଜାର୍ଚ୍ଚନା କରିଥିଲେ । ତେବେ ସରକାରଙ୍କ ନାଲି ଆଖିକୁ ଡରିବୁ ନାହିଁ ଏବଂ ରାଜ୍ୟ ଶିକ୍ଷକ ସଂଘର ନିଷ୍ପତି ଅନୁଯାୟୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଗ୍ରେଡ୍ ପେ ବୃ୍ଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ୍ ଲାଗୁ କରିବା ସହ ୨୦୨୦ ମାର୍ଚ୍ଚ ୧ ତାରିଖରୁ ବନ୍ଦ ଥିବା ଇନକ୍ରିମେଂଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା ଭଳି ଦାବି ନେଇ ଶିକ୍ଷକଶିକ୍ଷୟିତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ । ଏବେ ଶିକ୍ଷକ ସଂଘ ଦୁଇଫାଳ ହେବା ପରେ ପାଠପଢା କେବେ ସ୍ୱାଭାବିକ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି ।