୨ ମିନିଟରେ ୪୦ ଚାପୁଡା ! ଉପସ୍ଥାନ ପକାଇନପାରିବାରୁ ୩ୟ ଶ୍ରେଣୀ ଛାତ୍ରକୁ ନିର୍ଦ୍ଦୟ ଭାବରେ ପିଟିଲେ ଶିକ୍ଷୟିତ୍ରୀ

46

କନକ ବ୍ୟୁରୋ : ‘ପ୍ରେଜେଂଟ୍ ମ୍ୟାମ୍’ କହି ନପାରିବା ମହଙ୍ଗା ପଡିଛି ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ । ଏହି ସାଧାରଣ ଘଟଣା ପାଇଁ ୨ ମିନିଟରେ ୪୦ ଥର ଅତି ନିର୍ଦ୍ଦୟ ଭାବରେ ମାଡ଼ ମାରିଛନ୍ତି ଜଣେ ଶିକ୍ଷୟିତ୍ରୀ । ଏନେଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି । ଏହି ନିନ୍ଦନୀୟ ଘଟଣାଟି ଘଟିଛି ଲକ୍ଷ୍ନୌର ଏକ ସ୍କୁଲରେ । ତେବେ ମାଡର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ଖୁବ୍ ଜୋରରେ ହେବାରେ ଲାଗିଛି ।

ଖବର ଅନୁସାରେ, ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସ୍ ଆରମ୍ଭ ହେବା ବେଳେ ହାଜିରା ନେଉଥିଲେ । କିନ୍ତୁ ଏହି ସମୟରେ ରିତେଶ୍ ନାମକ ଜଣେ ୩ୟ ଶ୍ରେଣୀର ଛାତ୍ର ଡ୍ରଇଙ୍ଗ୍ କରୁଥିବାରୁ ଶୁଣିପାରି ନଥିଲେ । ଯେଉଁଥିରେ ଉତ୍ୟକ୍ତ ହୋଇ ଶିକ୍ଷୟିତ୍ରୀ ଜଣଙ୍କ ମାରିଥିଲେ । ମାତ୍ର ୨ ମିନିଟ୍ ଭିତରେ ଅତ୍ୟନ୍ତ ଅମାନୁଷିକ ଭାବରେ ୪୦ ଥର ମାରିଚାଲିଥିଲେ । ଯେଉଁଥିରେ ରିତେଶଙ୍କ ଗାଲ ଲାଲ୍ ପଡିବା ସହ ସିଝି ଯିବା ପରି ହୋଇଯାଇଥିଲା ।

ଏହି ଘଟଣା ପରେ ରିତେଶ୍ ଘରକୁ ଫେରି ଚୁପ୍ ଚାପ୍ ବସିଥିଲେ । ଆଉ ରିତେଶଙ୍କ ଏହି ଅବସ୍ଥା ଦେଖି ବାପା ପ୍ରବୀନ୍ ଗୁପ୍ତା ଏନେଇ ପଚାରିବାରୁ ସେ କିଛି କହି ନଥିଲେ । ପରେ ବ୍ୟସ୍ତ ହୋଇ ଏନେଇ ରିତେଶଙ୍କ ସାଙ୍ଗ ମାନଙ୍କୁ ପଚାରିବାରୁ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ପ୍ରବୀନ୍ । ଆଉ ଏସବୁ ଜାଣି ପିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ୍ ଯାଂଚ୍ କରିଥିଲେ ସ୍କୁଲ୍ କତ୍ତୃପକ୍ଷ । ଶେଷରେ ଶିକ୍ଷୟିତ୍ରୀଙ୍କ ଅମାନବୀୟ ଆଚରଣକୁ ସାମ୍ନାକୁ ଆଣିଥିଲା ସିସିଟିଭି ।

ଘଟଣା ପରେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ପୀଡିତ ଛାତ୍ରଙ୍କ ଅଭିଭାବକ ଏନେଇ ପୁଲିସରେ ମାମଲା ରୁଜୁ କରିଛନ୍ତି । କିନ୍ତୁ ଏଯାଏଁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ।