ମହାନତା ଦେଖାଇଲେ ଶିକ୍ଷକ…ବାତ୍ୟାରେ ଭାଙ୍ଗିପଡିଥିବା ସ୍କୁଲ ଘରକୁ ନିଜ ଖର୍ଚ୍ଚରେ କଲେ ନିର୍ମାଣ

429

କନକ ବ୍ୟୁରୋ: ଆଜିର ଦୁନିଆରେ ବ୍ୟକ୍ତି ନିଜର କର୍ମ ପାଇଁ ସାଉଁଂଟିନିଏ ଅନେକ ପ୍ରଶଂସା । ଏଭଳି ହିଁ ଜଣେ ମହାନ ବ୍ୟକ୍ତି ହେଲେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଧନୁଆ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ମଙ୍ଗରାଜ । ଯିଏ କି ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରୁଛନ୍ତି ବିଦ୍ୟାଳୟ ପାଇଁ ଶ୍ରେଣୀ ଗୃହ । ଖାଲି ଅର୍ଥ ନୁହେଁ ପାଠ ପଢ଼ାଇବା ସହିତ ଅବସର ସମୟରେ ନିଜେ ଏବଂ ନିଜର ସହଯୋଗୀ ଶିକ୍ଷକମାନଙ୍କ ସହିତ ମିଶି ଗୃହ ନିର୍ମାଣ କାର୍ଯ୍ୟରେ ଲିଙ୍ଗରାଜ ସହଯୋଗ ମଧ୍ୟ କରୁଛନ୍ତି । ବାତ୍ୟା ଫନିରେ ସଂପୁଣ୍ଣ ରୁପେ ଭୁଶୁଡି ପଡିଥିଲା ବିଦ୍ୟାଳୟ । ଫଳରେ ଶ୍ରେଣୀ ଗୃହ ଅଭାବଯୋଗୁଁ ଛାତ୍ରଛାତ୍ରୀଙ୍କ ଏବେ ପାଳିକରି ଆସିବାକୁ ପଡୁଛି । ତେବେ ସରକାରୀ ଅନୁଦାନ ଆସିବାର ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟ ଆଜି ପ୍ରଶଂସା ସାଉଁଟିବାରେ ଲାଗିଛି ।

ସରକାର ଅତୀତରେ ଘୋଷଣା କରିଥିଲେ ବିଦ୍ୟାଳୟର ନିର୍ମାଣ ନିମନ୍ତେ ଆର୍ଥୀକ ଅନୁଦାନ ଯୋଗାଇଦିଆଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟ ଟଙ୍କାଟିଏ ବି ଅନୁଦାନ ପାଇ ନଥିବା ଅଭିଯୋଗ ହୋଇଛି । ତେବେ ଅନୁଦାନ ମିଳବାରେ ବିଳମ୍ବ ହେଉଥିବାରୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପକେଟରୁ ଟଙ୍କା ଖର୍ଚ୍ଚ କରି ସ୍କୁଲ ଘର ମରାମତି କାମ ଆରମ୍ଭ କରିଛନ୍ତି ପ୍ରଧାନଶିକ୍ଷକ ଲିଙ୍ଗରାଜ ମଙ୍ଗରାଜ ।

ସବୁଠାରୁ ଗୁରତ୍ୱପୁର୍ଣ୍ଣ କଥା ହେଉଛି କି ଏହି ବିଦ୍ୟାଳୟଟି ଖୋଦ୍ ଗଚ୍ଚଶିକ୍ଷାମନ୍ତ୍ରୀଙ୍କ ଗଡରେ ଆସୁଛି । ହେଲେ ଦୁର୍ଭାଗ୍ୟର କଥା ଏଯାବତ ସ୍କୁଲ ଘର ମରାମତି ନିମନ୍ତେ ଟଙ୍କାଟିଏ ବି ସରକାରୀ ଅନୁଦାନ ମିଳିପାରିନାହିଁ । ବାତ୍ୟା ଫନିକୁ ଇତିମଧ୍ୟରେ ୭ମାସ ବିତିଗଲାଣି । ହେଲେ ଆଜି ପର୍ଯ୍ୟନ୍ତ ଭଗ୍ନ ଅବସ୍ଥାରେ ଥିବା ବିଦ୍ୟାଳୟଗୁଡ଼କ ମରାମତି ଏବଂ ପୁନନିର୍ମାଣ କାର୍ଯ୍ୟ ସରିପାରିନାହିଁ । ଯାହାଫଳରେ ଧନୁଆ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିକଟସ୍ଥ ଏକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଠପଢ଼ୁଛନ୍ତି । ଏପରିକି ଶ୍ରେଣୀଗୃହ ଅଭାବରୁ ପିଲାମାନେ ପାଳିକରି ସ୍କୁଲକୁ ପାଠପଢ଼ିବାକୁ ଆସୁଛନ୍ତି । ତେବେ ସରକାରୀ ଅନୁଦାନ ବିନା ପ୍ରଧାନଶିକ୍ଷକଙ୍କ ନିଜସ୍ୱ ଉଦ୍ୟମ ଯୋଗୁ ବିଦ୍ୟାଳୟର ଅନ୍ୟ ସହଯୋଗୀ ଶିକ୍ଷକ ଏବଂ ବଦାନ୍ୟବ୍ୟକ୍ତିଙ୍କ ସହଯୋଗରେ ନିର୍ମାଣ ଚାଲିଛି ବିଦ୍ୟାଳୟ । ବାସ୍ତବରେ ପ୍ରଧାନଶିକ୍ଷକଙ୍କ ଏଭଳି ଉଦ୍ୟମ ନିଶ୍ଚୟ ପ୍ରଶଂସନୀୟ ।