ଆଦିବାସୀ ଅଂଚଳ ଟେଲି ଯୋଗାଯୋଗ ସେବାର ବିକଳ ଚିତ୍ର । ଦେବଗଡ ଗାଇଲୋ ଘାଟିରେ ଶିକ୍ଷକ ନେଉଛନ୍ତି ଅନଲାଇନ୍ ଟ୍ରେନିଂ । ଗାଁରେ ନେଟୱାର୍କ ନଥିବାରୁ ୩ଶହ ଫୁଟ ଉଚ୍ଚ ଘାଟି ରାସ୍ତାର ବିପଦସଂକୁଳ ଅବସ୍ଥାରେ ପ୍ରଶିକ୍ଷଣ ନେଉଛନ୍ତି ଶିକ୍ଷକ 

131

କନକ ବ୍ୟୁରୋ : ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଥିବା ବେଳେ ସାମାନ୍ୟ ନେଟଓା୍ୱର୍କ ପାଇଁ ଜୀବନକୁ ବାଜି ଲଗାଇ ଚାକିରୀ ବଂଚାଇବାକୁ ଉଦ୍ୟମ କରୁଛନ୍ତି ଶିକ୍ଷକ । ବିପଦ ଜନକ ଭାବେ ଘାଟି ଉପରେ ଅନଲାଇନ ଟ୍ରେନିଂ ନେଉଛନ୍ତି ଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଗଇଲୋ ଘାଟିରେ  ।

କରୋନା ଭୟରେ ସ୍କୁଲ କଲେଜ ବନ୍ଦ ଯୋଗୁଁ ଶିକ୍ଷାଦାନରେ ବାଧା ଉପୁଜିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାଭାବକୁ ଭରଣା କରିବା ପାଇଁ ଅନଲାଇନ ଶିକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ମାତ୍ର ଅନେକ ସ୍ଥାନରେ ମୋବାଇଲ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀ ପାଠ ପଢି ପାରୁନାହାନ୍ତି । କେବଳ ପିଲାମାନେ ନୁହନ୍ତି ଶିକ୍ଷକମାନେ ମଧ୍ୟ ଅନଲାଇନ୍ ଟ୍ରେନିଂ ନେବା ପାଇଁ ଘାଟି ଚଢୁଛନ୍ତି ।

ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୧୬ରୁ ୩୦ ତାରିଖ ଯାଏଁ ୩ଟି ଦଫାରେ ଶିକ୍ଷକମାନଙ୍କୁ ମୋଡୁଲ ନିଷ୍ଠା ଅନଲାଇନ ଦୀକ୍ଷା ପ୍ରଶିକ୍ଷଣ ଦିଆଯାଉଛି । ହେଲେ ନେଟୱାର୍କ ନଥିବାରୁ ଦବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଗଇଲୋ ଘାଟିରେ ବିପଦପୂର୍ଣ୍ଣ ଭାବେ ଶିକ୍ଷକମାନେ ଅନଲାଇନ୍ ଟ୍ରେନିଂ ନେଉଛନ୍ତି ।

ତିଲେଇବଣୀ ବ୍ଲକର ଝରା ଗୋଗୁଆ, ଲଇମୁରା, ଗଣ୍ଡମ ଝାରମୁଣ୍ଡା ଓ ଡିମିରିକୁଦା ପଂଚାୟତର ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ୩ଶହ ଫୁଟ ଉଚ୍ଚରେ ଥିବା ଗଇଲୋ ଘାଟି ରାସ୍ତାର ଗାର୍ଡୱାଲ ଉପରେ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କାରଣ ସଂପୃକ୍ତ ପଂଚାୟତଗୁଡିକୁ ଆଜି ଯାଏଁ ଟେଲି ଯୋଗାଯୋଗ ହୋଇନାହିଁ । ନେଟୱାର୍କ ନଥିବାରୁ ପିଲାମାନେ ଅନଲାଇନ୍ ପାଠ ପଢି ପଢୁନଥିବା ବେଳେ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳିନ ପରିସ୍ଥିତିରେ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି ।

ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି । ହେଲେ ଦେବଗଡ ଜିଲ୍ଲାର ଆଦିବାସୀ ଅଂଚଳରେ ଟେଲି ଯୋଗେଯାଗ ଭଳି ଗୁରତ୍ୱ ପୂର୍ଣ୍ଣ ସେବା ନପହଂଚିବା ସରକାରଙ୍କ ବିକାଶ ନାରାକୁ ତାତ୍ସଲ୍ୟ କରୁଛି ।