ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ଉଦ୍ୟମ । ଗଛ ଲଗାଇବା ସହ ପରିବେଶ ସଚେତନତା ବାର୍ତ୍ତା ଦେଉଛନ୍ତି ଶିକ୍ଷକ ନାରାୟଣ ସ୍ୱାଇଁ

122

କନକ ବ୍ୟୁରୋ: ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ଉଦ୍ୟମ । ଶିକ୍ଷକତା ଚାକିରି ପରେ ଫାର୍ମ ହାଉସ କରି ଲଗାଇଛନ୍ତି ବିଭିନ୍ନ ପ୍ରକାରର ପନିପରିବା ଫଳ ଗଛ । ନିଜେ ରୋଜଗାର କରିବା ଅନ୍ୟ ମାନଙ୍କୁ ଯୋଗାଉଛନ୍ତି କର୍ମ ନିଯୁକ୍ତି । ପାଖାପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ତିଆରି କରିଛନ୍ତି କୃତ୍ରିମ ସବୁଜ ବଳୟ । ବୃକ୍ଷ ରୋପଣ ଏବଂ ବିଭିନ୍ନ ଚାଷ କରି ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ଦେଉଛନ୍ତି ।

ଆଠଗଡ଼ ଅଞ୍ଚଳର ନାରାୟଣ ସ୍ୱାଇଁ, ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ରବି ସାର ନାଁରେ ସମସ୍ତେ ଜାଣନ୍ତି । ୧୯୮୬ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ । କିନ୍ତୁ ମନରେ ତାଙ୍କର ଥିଲା ପରିବେଶ ପ୍ରେମ । ୨୦୧୮ରେ ଚାକିରି ଜୀବନରୁ ଅବସର ନେବା ପରେ ଏବେ ନିଜର ସ୍ୱପ୍ନକୁ ପୁରଣ କରିବା ପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଅଉ ଏଥିରେ ସେ ମଧ୍ୟ ସଫଳତା ପାଇଛନ୍ତି ।

୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ୬ ଏକର ଜାଗାରେ ଲଗାଇଛନ୍ତି କଦଳୀ, ଭଣ୍ଡା, ସପୁରୀ, ପଣସ, ଲିଚୁ, ଡ଼ାଳିମ୍ବ ଭଳି ବିଭିନ୍ନ ଫଳ ଗଛ । ବାର୍ଷିକ ୮୦ହଜାର ଟଙ୍କା ରୋଜଗାର କରିବା ସହ ୫ଟି ପରିବାରକୁ ରୋଜଗାର ଯୋଗାଇଛନ୍ତି । ଏହି ବଗିଚାରେ ପ୍ରତେକ ଦିନ ଦୁଇଜଣ ଶ୍ରମିକ କାମ କରନ୍ତି । ମାଟି କୋଡ଼ା ଖୋସା କରିବା ସହ ଗଛ ଗୁଡ଼ିକର ଯତ୍ନ ମଧ୍ୟ ନିଅନ୍ତି । କାମ କରୁଥିବା ଶ୍ରମିକ ମାନେ ରୋଜଗାର ପାଉଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଲୋକଙ୍କୁ ରୋଜଗାର ଦେଉଥିବାରୁ ଅବସରପ୍ରାପ୍ତ ଶିକ୍ଷକ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।

ବଗିଚାରେ ଫଳୁଥିବା କଦଳୀ ଓ ପନିପରିବା ସ୍ଥାନୀୟ ବଜାରରେ ବିକ୍ରୟ କରି ଭଲ ଆୟ କରୁଥିବା କହିଛନ୍ତି ଶିକ୍ଷକ ନାରାୟଣ ସ୍ୱାଇଁ । ଏମିତିକି ସ୍ଥାନୀୟ ଅଂଚଳର କିଛି ବ୍ୟବସାୟୀ ମଧ୍ୟ ତାଙ୍କ ଫାର୍ମ ନିକଟକୁ ଆସି ପନିପରିବା ଏବଂ ଫଳ କିଣିନେଉଛନ୍ତି । ଅନ୍ୟପଟେ ଏଭଳି ଏକ ସୁନ୍ଦର ଉଦ୍ୟାନ ତିଆରି କରିଥିବାରୁ ଖୁବ୍ ଆନନ୍ଦ ମିଳୁଥିବା ସେ କହିଛନ୍ତି ।