ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । ମାଲକାନଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ଛାତ୍ର

276

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଛାତ୍ର । ଟ୍ରେନରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଆଉ ଶିକ୍ଷକଙ୍କ ଫଟୋ ଭାଇରାଲ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିର୍ଧୁମ ଛେଚିଛନ୍ତି ବିଦ୍ୟାଳୟର ଛାତ୍ର ।

ମାଲକାନଗିରିର ଆବାସିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି । ଗତ ଡିସେମ୍ବର ମାସରେ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ସୁନ୍ଦରଗଡ ବାଙ୍ଗିରିପୋଷି ଠାରେ ଆୟୋଜିତ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ନେଇଥିଲେ ଅଭିଯୁକ୍ତ ଶିକ୍ଷକ । ଟ୍ରେନ୍ରେ ଫେରିବା ବାଟରେ ଅଧରାତିରେ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାହାର ଫଟୋ ଅନ୍ୟ ଏକ ଛାତ୍ରୀ ଉଠାଇ ଥିବା ବେଳେ ଘଟଣା ଘଟିବାର ପ୍ରାୟ ମାସକ ପରେ ସେଇ ଫଟୋ ଏବେ ସାମନାକୁ ଆସିଛି । ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡାଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଛାତ୍ର । ପୂର୍ବରୁ ବିଭୂତି ପ୍ରସାଦ ପଣ୍ଡାଙ୍କ ନାଁରେ ବାରମ୍ବାର ଏପରି ଅଭିଯୋଗ ଆସିଥିଲେ ବି ତାଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।