ପାକିସ୍ତାନ ଜିତିଲା, ହ୍ୱାଟସଆପ ଷ୍ଟାଟସରେ ଶିକ୍ଷୟତ୍ରୀ ଲେଖିଲେ ‘We Won’। ସ୍କୁଲରୁ ବିଦା ହେଲେ ନଫିସା ।

2,022

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ସୋସିଆଲ ମିଡ଼ିଆରେ ଟିମ୍ ଇଣ୍ଡିଆକୁ ସମାଲୋଚନା କରିବାକୁ ଭୁଲିନାହାନ୍ତି ୟୁଜର୍ସ । କିନ୍ତୁ ପାକିସ୍ତାନ ବିଜୟରେ ଜଣେ ଶିକ୍ଷୟତ୍ରୀ ଖୁସି ହେବା ଏବେ ତାଙ୍କୁ ମହଙ୍ଗା ପଡିଛି । ରାଜସ୍ଥାନ ଉଦୟପୁରର ଏକ ସ୍କୁଲର ଶିକ୍ଷୟତ୍ରୀ ପାକିସ୍ତାନ ବିଜୟରେ ବେଶ ଖୁସି ହୋଇଥିଲେ । ଏପରିକି ପାକିସ୍ତାନ ମ୍ୟାଚରେ ବିଜୟୀ ହେବା ପରେ ପାକ୍ ଖେଳାଳୀଙ୍କ ଫଟୋ ସହ ଆମେ ଜିତିଗଲୁ ବୋଲି ଲେଖି ହ୍ୱାଟସଆପରେ ଷ୍ଟାଟସ ରଖିଥିଲେ । ଯାହାକୁ ନେଇ ଏବେ ବିବାଦ ବଢିଛି ।

ମିଳିଥିବା ସୂଚନା ମୁତାବକ, ଉଦୟପୁରର ନୀରଜା ମୋଦୀ ସ୍କୁଲର ଶିକ୍ଷୟତ୍ରୀ ନଫିସା ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ପରେ କିଛି ଏମିତି ଷ୍ଟାଟସ ରଖିଥିଲେ । ପାକିସ୍ତାନ ବିଜୟୀ ହେବା ପରେ ଆମେ ଜିତିଗଲୁ ବୋଲି ଲେଖିଥିଲେ ନଫିସା । ଆଉ ଏହାର କିଛି କ୍ଷଣ ପରେ ଏହି ଷ୍ଟାଟସକୁ ଜଣେ ଅଭିଭାବକ ଦେଖିଥିଲେ ଏବଂ ଆପଣ ପାକିସ୍ତାନକୁ ସମର୍ଥନ କରନ୍ତି କି ବୋଲି ପଚାରିଥିଲେ । ଆଉ ଏହାର ଉତ୍ତରରେ ନଫିସା ପାକିସ୍ତାନକୁ ସମର୍ଥନ କରେ ବୋଲି କହିଥିଲେ । ଆଉ ଏହି ଘଟଣା ଜଣାପଡିବା ପରେ ସ୍କୁଲରେ ଏକପ୍ରକାର ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଉଦୟପୁରରେ ଏହି ଘଟଣାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । କିନ୍ତୁ ଯେତେବେଳେ ଏ ବାବଦରେ ନଫିସାଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ, ମୁଁ ମଜା କରୁଥିଲି । କିନ୍ତୁ ଏହି ଘଟଣାକୁ ନେଇ ବିବାଦ ବଢିବା ସହ ସ୍କୁଲର ନାଁ ଖରାପ ହେଉଥିବାରୁ ନଫିସାଙ୍କୁ ସ୍କୁଲରୁ ବିଦା କରିଛନ୍ତି କର୍ତ୍ତୃପକ୍ଷ ।

ଏହି ସ୍କୁଲକୁ ସୋଜତିଆ ଚାରିଟେବଲ ଟ୍ରଷ୍ଟ ପରିଚାଳିତ କରୁଛି । ଟ୍ରଷ୍ଟ ପକ୍ଷରୁ କେବଳ ଏତିକି ଲେଖାଯାଇଛି ଯେ, ଟ୍ରଷ୍ଟର ନିର୍ଣ୍ଣୟ ଅନୁସାରେ ନଫିସାଙ୍କୁ ତୁରନ୍ତ ହଟାଇ ଦିଆଯାଇଛି । ଆଉ ଏହାର ସ୍କ୍ରିନସଟ୍ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ଏହି ଘଟଣା ପରେ ନଫିସା କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଏହାର ପ୍ରଭାବ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ପଡିନାହିଁ ।