ଆଶାକର୍ମୀ-ଶିକ୍ଷକଙ୍କୁ କରୋନା: ଦେବଗଡରେ ଆଶାକର୍ମୀ ଓ ଶିକ୍ଷକଙ୍କ ନମୁନାରେ ବାହାରିଲା କୋଭିଡ-୧୯ ଭୁତାଣୁ; ତିଲେଇବଣି ବ୍ଲକ ସୋଢ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିଲେ

917

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ କରୋନା । ଆଶାକର୍ମୀ, ଶିକ୍ଷକଙ୍କୁ କରୋନା । ଦେବଗଡରେ ଆଶାକର୍ମୀ ଓ ଶିକ୍ଷକଙ୍କ ନମୁନାରେ ବାହାରିଲା କୋଭିଡ-୧୯ ଭୁତାଣୁ। ତେବେ ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକ ସୋଢ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିଲେ ଏମାନେ । ଆଶାକର୍ମୀ ଓ ଶିକ୍ଷକଙ୍କୁ ଦେବଗଡ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦେବଗଡ ସିଡିଏମଓ ।

ସେପଟେ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ଆଜି ଚିହ୍ନଟ ୧୦୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଯାଜପୁରର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା, ସଙ୍ଗରୋଧରେ ଥିଲେ । କୋରାପୁଟର ୬ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା, ସଙ୍ଗରୋଧରେ ଥିଲେ । ଗଞ୍ଜାମର ୪ ଆକ୍ରାନ୍ତ ମଧ୍ୟରୁ ୨ ସୁରତ ଫେରନ୍ତା, ୨ ଜଣ ସ୍ଥାନୀୟ ଅଞ୍ଚଳର । ସେହିପରି ଭଦ୍ରକର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୪ ପଶ୍ଚିମବଙ୍ଗ, ୨ ଗୁଜୁରାଟ, ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା । ବଲାଙ୍ଗିରର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହାରାଷ୍ଟ୍ର, ୨ ଗୁଜରାଟ ଓ ଜଣେ ଛତିଶଗଡ଼ ଫେରନ୍ତା । ଢେଙ୍କାନାଳର ଜଣେ ଆକ୍ରାନ୍ତ ଛତିଶଗଡ ଫେରନ୍ତା । ସମସ୍ତେ ସଙ୍ଗରୋଧରେ ଥିଲେ । ଜଗତସିଂହପୁରର ୮ ଜଣ ପଶ୍ଚିମବଙ୍ଗ ଓ ୨ ଜଣ ତାମିଲନାଡୁ ଫେରନ୍ତା । କନ୍ଧମାଳର ଜଣେ ସୁରତ ଫେରନ୍ତା । ସେହିପରି ମୟୂରଭଞ୍ଜର ଜଣେ ଆକ୍ରାନ୍ତ ଆନ୍ଧ୍ର , ଗଜପତିର ୬ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା । ବାଲେଶ୍ୱରର ୩ଜଣ ତାମିଲନାଡୁ, ଜଣେ ପଶ୍ଚିମବଙ୍ଗ ଓ ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା । ସମସ୍ତେ ସଙ୍ଗରୋଧରେ ଥିଲେ ।

ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍ ଚିହ୍ନଟ । ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟରେ ଏହା ହେଉଛି ସର୍ବାଧିକ ସଂଖ୍ୟା । ୧୩୩୫ ନମୂନା ପରୀକ୍ଷା ପରେ ଏହି ୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ୍ କରୋନା ସଂଖ୍ୟା ୧୪ ଶହ ଅତିକ୍ରମ କରିଛି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୪ ଶହ ୩୮ରେ ପହଁଚିଛି । ନୂଆ ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଦେବଗଡ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଅଚନ୍ତି । ସେହିପରି କେନ୍ଦ୍ରାପଡାରୁ ୧୫, ଜଗତସିଂହପୁର ଜିଲ୍ଲାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୮, ଗଜପତି ଓ କୋରାପୁଟରୁ ୬ ଜଣ ଲେଖାଏଁ, ବାଲେଶ୍ୱର ଏବଂ ଖୋର୍ଧାରୁ ୫ ଜଣ ଲେଖାଏଁ, ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪ ଜଣ ଆକ୍ରାନ୍ତ । ଏହା ବାଦ୍ ଯାଜପୁର, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଠାରେ ମିଳିଛି କୋଭିଡ୍ ୧୯ ଭୂତାଣୁ । ଏହି ୧୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ ସଂଗରୋଧ କେନ୍ଦ୍ରରୁ ମିଳିଛନ୍ତି । ବାକି ୭ ଜଣ ସାଧାରଣ ଲୋକ ବୋଲି ଜଣାପଡିଛି । ନୂଆ ୨୨ ଆକ୍ରାନ୍ତଙ୍କୁ ମିଶାଇ ଦେବଗଡ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୪ କୁ ବୃଦ୍ଧି ହୋଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୩୫୩, ଯାଜପୁରରେ ୨୪୦, ବାଲେଶ୍ୱର ୧୩୩ ଏବଂ ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା ୧୦୬ ରହିଛି ।