ବିନା ଖାଦ୍ୟରେ ବଞ୍ଚିଛନ୍ତି: ୩୬ ବର୍ଷ ହେବ ଚା’ ପିଇ ବଞ୍ଚିଛନ୍ତି ୭୦ ବର୍ଷର ବୃଦ୍ଧା

1,561

କନକ ବ୍ୟୁରୋ: ସେ କିଛି ଖାଉ ନାହାନ୍ତି । ନା ଭାତ ଖାଉଛନ୍ତି ନା ରୁଟି ଖାଉଛନ୍ତି । କିଛି ନଖାଇ କେବଳ ଚା ପିଇ ସେ ସେମିତି ବଞ୍ଚିଛନ୍ତି । ୭୦ ବର୍ଷ ବୟସରେ ବିନା ଖାଦ୍ୟରେ ଖାଲି ଚା ପିଇ ସେ ସୁସ୍ଥ ମଣିଷ ପରି ଧାଁଦୌଡ କରୁଛନ୍ତି । କଥାଟା କାନକୁ ଟିକେ ଖଟକା ଶୁଭୁଥିଲେ ବି ଏକଦମ ସତ । ହଁ ଆଜ୍ଞା ଦୀର୍ଘ ୩୬ ବର୍ଷ ହେବ ଢୋକେ ଚା ପିଇ ଜିଇଁଥିବା ସେ ଅଦ୍ଭୁତ ମଣିଷ ଜଣଙ୍କ ହେଉଛନ୍ତି ପୁରୀ ସତ୍ୟବାଦୀ ବ୍ଲକ ପଦ୍ମପୁର ଗାଁର ଅହଲ୍ୟା ମହାପାତ୍ର ।

ସକାଳରୁ ରାତି ହେବା ଯାଏଁ ସେ କେବଳ ଚା ପିଇ ରହନ୍ତି । ଦୀର୍ଘ ୩୬ ବର୍ଷ ହେଲା ଦିନକୁ ୫ ଥର ଚା ପିଇ ରହୁଥିବା ଏ ବୃଦ୍ଧାଙ୍କ ଚା ପଛର କାହାଣୀ ବି ବେଶ ନିଆରା । ୩୬ ବର୍ଷ ତଳେ ଅହଲ୍ୟା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯେତେ ଡାକ୍ତର ଦେଖାଇଲେ ବି କୌଣସି ସୁଫଳ ମିଳିନଥିଲା । ସେ ଯାହା ଖାଉଥିଲେ ତାହା ବାନ୍ତି ହୋଇ ବାହାରି ଆସୁଥିଲା । ତେଣୁ ବାଧ୍ୟ ହୋଇ ଅହଲ୍ୟା ସାରା ଦିନ କିଛି ନଖାଇ କେବଳ ଚା ପିଇ ରହୁଥିଲେ । ଆଉ ତାଙ୍କର ସେହି ଅଭ୍ୟାସ ଏବେ ନିତିନିଦିଆ ଜୀବନରେ ଏକ ଅଂଶ ହୋଇଯାଇଛି । ସେ ଖାଦ୍ୟ ନୁହେଁ ବରଂ କେବଳ ଚା ପିଇ ବଞ୍ଚୁଛନ୍ତି ।

ତେବେ ବିନା ଖାଦ୍ୟରେ ସେ କୌଣସି ଅସୁସ୍ଥତା ଅନୁଭବ କରୁନଥିବା କହିଛନ୍ତି । ଘରର ସବୁ କାମ ସେ ନଥକି ଅତି ସହଜରେ କରି ପାରନ୍ତି । ତେବେ ଚା ପିଇ ବଞ୍ଚୁଥିବା ଅହଲ୍ୟାଙ୍କୁ ନେଇ ଏବେ ସାରା ସତ୍ୟବାଦୀରେ ଚର୍ଚ୍ଚା ହେଉଛି ।