ନିଆରା ଚା’ ଦୋକାନୀ ରବୀନ୍ଦ୍ର ସ୍ୱାଇଁ । ଗୀତ ଗାଇ ଗାଇ ବିକୁଛନ୍ତି ଚା’, ଦୋକାନରେ ଲାଗୁଛି ଲମ୍ବା ଲାଇନ୍ । 

222

କନକ ବ୍ୟୁରୋ: ଗରମା ଗରମ ଚା, ଆଉ ତା ସାଥିରେ ମଜାଳିଆ ଗୀତ  । ସକାଳ ପାଇଲେ ଓଠ ଯେତେବେଳେ ଟିକେ ଗରମ ଚା ଖୋଜେ, ସେତେବେଳେ ଗୀତ ଗାଇ ଗାଇ ଲୋକଙ୍କ ଚା ଗିଲାସ ଭେଟି ଦିଅନ୍ତି ନିଆରା ଚା ଦୋକାନୀ ରବୀନ୍ଦ୍ର ସ୍ୱାଇଁ ।

ବାଙ୍କୀ ବ୍ଲକ୍ କଢାମଲ୍ଲ ଗାଁର ରବୀନ୍ଦ୍ର ସ୍ୱାଇଁଙ୍କ ପାଇଁ ସକାଳ ଚା ଦୋକାନରୁ ହିଁ ଆରମ୍ଭ ହୁଏ । ନିଇତି ସୂର୍ଯ୍ୟ ଉଇଁଲା ବେଳକୁ, ଦୋକାନ ଖୋଲି ସେ ପସରା ମେଲାନ୍ତି । ଆଉ ଲୋକଙ୍କୁ ତାଙ୍କ ମନପସନ୍ଦର ଚା ଭେଟିଦିଅନ୍ତି ।

ରବୀନ୍ଦ୍ର କ୍ଷୀରରେ ଯେତିକି ଚା, ଚିନି ଆଉ ଅମୂଲ ପକାନ୍ତି । ତାଙ୍କ ଗୀତରେ ସେତିକି ସେହ୍ନ, ଶ୍ରଦ୍ଧା ଆଉ ଆତ୍ମୀୟତା ବି ଭରି ଦେଇଥାନ୍ତି । ଖାସ୍ ସେଇଥି ପାଇଁ ତ, ସକାଳ ପାହୁ ପାହୁ ତାଙ୍କ ଦୋକାନ ଆଗରେ ଲାଗେ ଗାଁ ଲୋକ ଲମ୍ବା ଲାଇନ୍ । ଆଉ ସମସ୍ତଙ୍କୁ ବି ରବୀନ୍ଦ୍ର ତାଙ୍କ କଳାକାର ଅନ୍ଦାଜରେ ଗୀତ ଗାଇ ଗାଇ ଅଭିନୟ କରି ଚା ଗିଲାସ ଧରେଇ ଦିଅନ୍ତି ।

ଆଖପାଖ ଗାଁର ଯେଉଁଠି ବି ଯାତ୍ରା କି ମେଲୋଡି ହୁଏ । ସବୁଠି କମେଡିଆନ୍ ଭାବେ ଖୋଜାପଡନ୍ତି ରବୀନ୍ଦ୍ର । ନିଜ ନିଖୁଣ ଅଭିନୟ ତାଙ୍କୁ ଚାରି ଖଣ୍ଡ ଗାଁରେ ପରିଚିତ କରିପାରିଛି । ହେଲେ ପରିବାର ପୋଷିବା ପାଇଁ, ପାଟିକୁ ଦାନା ଗଣ୍ଡେ ଯୋଗାଇବା ପାଇଁ ରବୀନ୍ଦ୍ର ଏବେ ତାଙ୍କ ନିଶାକୁ ପଛରେ ପକାଇ ଏବେ ଏ ଚା ଦୋକାନକୁ ପେଷା କରିଛନ୍ତି ଆଉ ଚା ବିକୁଛନ୍ତି ।

ଚା ଦୋକାନକୁ ପେଷା ଭାବେ ବାଛିବା ପରେ ବି, ରବୀନ୍ଦ୍ରଙ୍କ ମୁଣ୍ଡରୁ ଏବେ ବି ସେ ଅଭିନୟ ଆଉ କମେଡି ନିଶା ଯାଇନି । ଆଜି ବି ସେ ତାଙ୍କ ଗରାଖଙ୍କ ଆଗରେ ତାଙ୍କ ନିଆରା କଳା ଦେଖାନ୍ତି..ଅଭିନୟ କରି ବାଃ ବାଃ ଲୁଟନ୍ତି । ଆଉ ଗରାଖ ବି ନିଇତି, ରବୀନ୍ଦ୍ରଙ୍କ ହାତର ଚା ସହ, ତାଙ୍କ ଅଭିନୟ ଦେଖିବା ପାଇଁ ତାଙ୍କ ଦୋକାନ ମୁହାଁ ହୁଅନ୍ତି ।