ଜୀବିକା ଉପରେ କରୋନା ମାଡ଼, ରାସ୍ତାକୁ ଓହ୍ଲାଇଲେ ଚା’ ଦୋକାନୀ । କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ସଂଘର ଦାବି ।

210

କନକ ବ୍ୟୁରୋ: ରୋଜଗାର ଛଡାଇ ନେଇଛି ମହାମାରୀ କରୋନା । କଟକଣା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର । ହେଲେ, ପରିବାର ଚଳାଇବାର ବୋଝ ଯୋଗୁଁ ଲୁଚିଛପି ଦୋକାନ ଖୋଲିବାକୁ ବାଧ୍ୟ ହେଉଛନ୍ତି କିଛି ବ୍ୟବସାୟୀ । କିନ୍ତୁ କଟକଣାକୁ ପାଳନ ନକରିବା ଅଭିଯୋଗରେ ପୋଲିସ ସେମାନଙ୍କଠାରୁ ଫାଇନ ଆଦାୟ କରୁଛି । ଏଭଳି ସ୍ଥିତିରେ ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଚା’ ଦୋକାନୀ ।

କିଏ ଏହାକୁ ଅମାନିଆର ନାଁ ଦେଇପାରେ, ଆଉ କିଏ ଅସାବଧାନତାର ଆଖ୍ୟା । କିନ୍ତୁ ଇଏ ହେଉଛି କେବଳ ଅସହାୟତାର ଚିତ୍ର । ଗୋଟିଏ ଘରର, ମୁରବୀଙ୍କ ସଂଘର୍ଷର କାହାଣୀ । ଭୂତାଣୁ ଭିତରେ ଠେଲାର ଛୋଟିଆ କବାଟ୍ ଖୋଲି ଲୁଚିଛପି କେଇ କପ୍ ଚା’ ବିକିବା ପାଇଁ, ତାଙ୍କୁ ଖୁସି ଲାଗୁନି । କିନ୍ତୁ ଭୋକ ଅସହାୟ କରିଦେଇଛି

ଅସ୍ତରଙ୍ଗ ବଜାରରେ ଚା’ ଦୋକାନ ଟିଏ କରିଥିଲେ ଶିବ ପରିଡ଼ା । କରୋନା ଯୋଗୁଁ ଦୋକାନ ବନ୍ଦ । ହେଲେ ପେଟର ଭୋକ କି ବୁଝିବ କଟକଣା । ୪ ପ୍ରାଣୀଙ୍କ ମୁହଁରେ ଦୁଇ ଓଳି ଦାନା ଦେବା ପାଇଁ, ଏବେ ଅନିଚ୍ଛା ସତ୍ୱେ ସେ ଲୁଚିଲୁଚି ଚା ବିକ୍ରି କରୁଛନ୍ତି । ଏହି ଘଟଣା କେବଳ ଅସ୍ତରଙ୍ଗରେ ଘଟୁଛି ତାହା ନୁହେଁ । ଭୁବନେଶ୍ୱର ଓ ବ୍ରହ୍ମପୁରର ଏକାଧିକ ସ୍ଥାନରୁ ଆସୁଛି ସମାନ ଚିତ୍ର । ଶିବ ପରିଡ଼ାଙ୍କ ଭଳି ହଜାର ହଜାର ଚା’ ଦୋକାନୀଙ୍କ ସ୍ୱର ଉଠାଇଛି ଚା-ଦୋକାନ ମହାସଂଘ । ଦୋକାନ ଖୋଲିବାକୁ ଅନୁମତି ଦେବା କିମ୍ବା ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ମହାସଂଘ ।

ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି । ପ୍ରଥମ ଲହର ସମୟରେ ମଧ୍ୟ ଏମାନେ ଦୋକାନ ଖୋଲି ପାରିନଥିଲେ । ସରକାର ଯେମିତି, ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି, ସେହିଭଳି ଚା ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ।