କନକ ବ୍ୟୁରୋ: ଚା’- ଓଠର ଶୋଷ ନା ମନର ଉଷୁମ ଅବସୋସ । । ଚା’ରେ ଚହଲି ଯାଏ ଶୀତ, ଚା’ ପିଇ ବର୍ଷା ବି ଗାଏ ଗୀତ । କପେ ଚା’ରେ ଫୁର୍ତ୍ତି ହୋଇଯାଏ ମନ, ଉଭେଇ ଯାଏ ଅବସାଦ । ଗରମ ଚା’ ଗ୍ଲାସରେ କେବେ ବୁଡିମରେ ଗୁମସୁମପଣ, ବତୁରିଯାଏ ଥକ୍କାପଣ । ଚା’ କପର ଆଖି ଠାରରେ ପୁଣି ଅଟକିଯାଏ ଜୀବନ, ବ୍ରେକ୍ ମାରେ ବ୍ୟସ୍ତତା । ତତଲା ତସଲାରେ କ୍ଷୀର ଓ ଚିନିର ଚୋରା ପୀରତି ଖେଳ ଯେବେ ଟକମକ ଫୁଟେ ଆଉ କାଚ ଗ୍ଲାସ ହେଉ କି କାଗଜ ଗ୍ଲାସରେ ଢାଳି ହୋଇଯାଏ ସେବେ ପ୍ରତି କପରେ ଲେଖା ହୁଏ ନିଜକୁ ସିଝେଇ ଅନ୍ୟକୁ ସୁଖ ଦେବାର କବିତା । ନିଜକୁ ପୋଡି ଅନ୍ୟକୁ ପ୍ରୀତି ବାଣ୍ଟିବାର ଗପ ।
ଓଠକୁ ଛୁଇଁଯିବା ଚା’ର ଧର୍ମ ନା ଚା’କୁ ଓଠ ଖୋଜିି ହେବା ଗୋଟେ ନିୟମ । ଚା’ର ଉଷୁମ ପ୍ରେମ ପାଇବାକୁ ଏହାକୁ ଆପଣ ଏକ ବଦଭ୍ୟାସ କହିପାରନ୍ତି କିମ୍ବା ଚା ଗ୍ଲାସର ଗରମ ଛୁଆଁ ପାଇବାକୁ ଏକ ନିତିଦିନିଆ ନିଶା ? ଚା’ କିନ୍ତୁ ଓଠର ଆବଶ୍ୟକତା, ଟେନସନ ଫ୍ରିର ଫର୍ମୁଲା, ଦିନ ଆରମ୍ଭର ଉର୍ଜା, ହାଲିଆ ଦେହର ବୁଷ୍ଟର ଡୋଜ୍ । ଯାହା କେବଳ ଖାଲି ଶୀତ ନୁହେଁ ସବୁ ଋତୁରେ ଖୋଜାପଡେ । କିନ୍ତୁ ହଁ ଶୀତ ଦିନେ ହାଡଭଙ୍ଗା ଶୀତକୁ ଚେତାବନୀ ଦେବାକୁ ଚା ସମସ୍ତଙ୍କ ହାତରେ ଥାଏ, ଦେହ ଥରିଗଲେ- ଥରିଲା ଓଠ ଚା ପାଖକୁ ଧାଇଁଯାଏ...
ଶୀତର ସ୍ୱେଟର ଘୋଡିଥିବା ସହର ଆଉ ଚାଦରରେ ଢାଙ୍କି ହୋଇଥିବା ଗାଁ ବି ଏହି ଶୀତକୁ ଭୋଗିବାକୁ ଚା’ର ଉତ୍ସବ ପାଳେ । ସକାଳେ ସକାଳେ ସହରରେ କମ୍ବଳ ତଳୁ ବାହାରି ଆସି ଛକର ଚା ଦୋକାନରେ ଭିଡ ଜମାନ୍ତି ସହରିଆ । ରକମ ରକମର ଚା ପିଇ ଶୀତକୁ ନିଜନିଜ ଅନ୍ଦାଜରେ ଭୋଗନ୍ତି ସହରର ଲୋକେ । ରାଜଧାନୀ ଭୁବନେଶ୍ୱରରେ ସକାଳ ହେଉ କି ସଞ୍ଜ ଓଠ ଯେବେ ଉଷୁମ ଚା ଖୋଜେ ସେବେ ଏମାନଙ୍କ ଫୁଟନ୍ତା ଚା’ କେଟିଲ ପାଖରେ ଜମେ ଲୋକଙ୍କ ଭିଡ...
ଖାଲି ଭୁବନେଶ୍ୱର ନୁହେଁ ବାଲେଶ୍ୱରରେ ବି ଶୀତକୁ ଚା କପର ଚେଙ୍କ ଦେଇ ସହରରୁ ଭଗେଇ ଦିଅନ୍ତି ସହରିଆ । କପରୁ ଚା ଓଠ ଯେତେ ଯେତେ ପିଇଥାଏ, କବିର କବିତା ସେତେ ସେତେ ଚା’ ଚିତ୍ର ଓ ଚରିତ୍ର ବଖାଣୁଥାଏ... ମାଲକାନଗିରିରେ ସଞ୍ଜ ନଇଁବା କ୍ଷଣି ଲୋକେ ଶୀତ ବସ୍ତ୍ର ପିନ୍ଧି ଶୀତକୁ ଧମକ ଦେବାଭଳି ଚା ତିଆରି କରିବାକୁ ଦୋକାନୀକୁ ବରାଦୀ ଦିଅନ୍ତି । ପିଲାଠୁ ବୁଢା ସମସ୍ତେ ଏଠି ଚା ପିଇବାକୁ ଗହଳି କରନ୍ତି ।
କୋରାପୁଟ ହେଉ କି ସୁନ୍ଦରଗଡ, ଫୁଲବାଣୀ ହେଉ କି ବାଲିଗୁଡା... ଶୀତକୁ ଭଗେଇବାକୁ ଯେତେ ନିଆଁ ଜାଳି ଭୟ ଦେଖାନ୍ତୁନା କାହିଁକି ଶୀତ କେଉଁ ଡରିବାର ଋତୁ ଯେ, ନିଆଁକୁ ବି ବେଖାତିର କରି ମଣିଷର ଦେହକୁ ଦିଏ ଥରାଇ । କିନ୍ତୁ ଶୀତକୁ କପେ ଗରମାଗରମ ଚା ପିଆଇ ଦେଲେ ଶୀତ ଛାଏଁ ଛାଡିଯାଏ ଆଉ ଗରମ ଚାର ଚକ୍ରବ୍ୟୁହରେ ପଡି ଅଭିମନ୍ୟୁ ପରି ଆହତ ହୁଏ... ବାହାରିବାର ବାଟ ନପାଇ ଶେଷରେ ସେହି ମୁହୂର୍ତ୍ତ ପାଇଁ ଶେଷ ନିଶ୍ୱାସ ତ୍ୟାଗ କରେ ଶୀତ...