ଧରାପଡିଲା ଠିକାଦାରଙ୍କ ଠକାମୀ ! କନକ ନ୍ୟୁଜ ହାତରେ ପୂର୍ତ୍ତ ବିଭାଗର ଠକ ଠିକାଦାରଙ୍କ ଧୋକାଦାରୀର ଦସ୍ତାବିଜ୍

91

କନକ ବ୍ୟୁରୋ : କାମ ଠିକାଦାରୀ, ହେଲେ କାମ ଠକ ସର୍ଦ୍ଦାରଙ୍କ ଭଳି । କନକ ନ୍ୟୁଜ ହାତରେ ପଡିଛି ପୂର୍ତ୍ତ ବିଭାଗର ଠକ ଠିକାଦାର ବଂଟି ଅଗ୍ରୱାଲଙ୍କ ଧୋକାଦାରୀର ଦସ୍ତାବିଜ୍ । ବ୍ୟାଙ୍କର ଜାଲ ଟର୍ମ ଡିପୋଜିଟ୍ ରିସିଫ୍ଟ ଦେଇ ସେ ହାତାଉଥିଲେ କୋଟି କୋଟି ଟଙ୍କାର ଠିକା କାମ । ଘରେ ପ୍ରିଂଟର ରଖି ଛପାଉଥିଲେ ବ୍ୟାଙ୍କ ଟିଡିଆର୍ । ମାର୍ଜିନ ମନି ଆକାରରେ କୋଟି କୋଟି ଟଙ୍କାର ଜାଲିଆତି ପଦାରେ ପଡିବା ପରେ ଫେରାର ହୋଇ ଯାଇଛନ୍ତି ଏହି ଧୂର୍ତ୍ତ ଠିକାଦାର ।

ଠିକାଦାର ବଂଟି ଅଗ୍ରୱାଲ । ପଶ୍ଚିମ ଓଡ଼ିଶାରେ ପୂର୍ତ୍ତ ବିଭାଗର କୋଟି କୋଟି ଟଙ୍କାର କାମ କରନ୍ତି ଏହି ଠିକାଦାର । ହେଲେ ତାଙ୍କ ନାଁରେ ହୋଇଛି ଆର୍ଥିକ ଅନିୟମିତତା ଓ ଧୋକାଦାରୀର ସାଂଘାତିକ ଅଭିଯୋଗ । ସୁରଜ ଏଂଟରପାଇଜେସ ଏବଂ ସୁରଜ ଇନଫ୍ରା ନାମରେ ଦୁଇଟି ସଂସ୍ଥା ଗଢି ସରକାରୀ ବ୍ୟବସ୍ଥାରେ ଚୁନକାଳି ଲଗାଇଛନ୍ତି ବଂଟି ଅଗ୍ରୱାଲ ଏବଂ ତାଙ୍କ ବାପା ରାଜେନ୍ଦ୍ର ଅଗ୍ରୱାଲ । କୋଟି କୋଟି ଟଙ୍କା ଠିକା ହାତେଇବାକୁ ମାର୍ଜିନ ମନି ଆକାରରେ ଦେଉଥିଲେ ଜାଲି ଟିଡିଆର ।

ଟିଡିଆର କ’ଣ?
ପ୍ରତ୍ୟେକ ଠିକା କାମ ପାଇଁ ଠିକାଦାରଙ୍କୁ ମାର୍ଜିନ ମନି ଜମା କରିବାକୁ ହୁଏ । ବ୍ୟାଙ୍କ ଟିଡିଆର ଆକାରରେ ଏହି ମାର୍ଜିନ ମନି ଡିପୋଜିଟ୍ କରିବାକୁ ହୁଏ । ଟିଡିଆର ହେଉଛି ଟର୍ମ ଡିପୋଜିଟ୍ ରିସିଫ୍ଟ । ହେଲେ ଧୃତ ଠିକାଦାର ବଂଟି ଅଗ୍ରୱାଲ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ ନ କରି ଘରେ ପ୍ରିଂଟର ରଖି ବନାଉଥିଲେ ଷ୍ଟେଟ୍ ବ୍ୟାଙ୍କର ନକଲି ଟିଡିଆର । ଆଉ ତାକୁ ଜମା କରି ହାତାଉଥିଲେ ଠିକାକାମ । ପୂର୍ତ ବିଭାଗ ବ୍ୟାଙ୍କରେ ଏ ନେଇ ଯାଂଚ କରିବା ପରେ ପଦାକୁ ଆସିଥିଲା ଠିକାଦାରଙ୍କ ଠକ କାହାଣୀ । ଏ ନେଇ ଥାନାରେ ଏତଲା ହେବା ପରେ ଆରମ୍ଭ ହୋଇଛି ତନାଘନା ।

କଳାହାଂଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଏହି ଚାରିଟି ଜିଲ୍ଲାରେ ପ୍ରାୟ ୨୦୦ କୋଟିର ଠିକାକାମ କରୁଛନ୍ତି ବଂଟି ଅଗ୍ରୱାଲ । ପ୍ରାୟ ସବୁ ଠିକା କାମରେ ମାର୍ଜିନ ମନି ଆକାରରେ ଦିଆଯାଇଥିବା ଟିଡିଆର ଜାଲ ଥିବା ଜଣାପଡିଛି ।