ଏନଡିର ଦୁଇ ସହଯୋଗୀଙ୍କ ବଢ଼ୁଛି ଦାବି । ବାଚସ୍ପତି ପଦବୀ ନେବାକୁ ଅଡିବସିଛି ଟିଡିପି । ଆହ୍ୱାନ ଭିତରେ ସରଳ ହେବକି ମେଂଟ ସରକାର ଗଠନ

666

କନକ ବ୍ୟୁରୋ : ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜନତା ଦଳ ୟୁନାଇଟେଡ ସଭାପତି ନୀତୀଶ କୁମାର ମେଂଟ ରାଜନୀତିର ପୋଖତ ଖେଳାଳୀ । ଏବେ ଯଥାକ୍ରମେ ୧୬ ଓ ୧୨ ଲୋକସଭା ଆସନ ଜିତିବା ଫଳରେ ସଂଖ୍ୟାନ୍ୟୁନ ବିଜେପି ପାଇଁ ଏମାନଙ୍କ ଆବଶ୍ୟକତା ବେଶ ବଢ଼ିଯାଇଛି । ଯାହାର ଫାଇଦା ଏହି ଦୁଇ ନେତା ନେବା ସ୍ୱାଭାବିକ । ସେଥିପାଇଁଁ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବିଦାର ହୋଇଛି ।

ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇନଥିବାରୁ ଚଳିତ ଲୋକସଭାରେ ବାଚସ୍ପତି ପଦବୀ ବେଶ ଗୁରୁତ୍ୱପୂର୍ଣ୍ଣ । ଲୋକସଭା ପରିଚାଳନା ତଥା ଭୋଟ ଡିଭିଜନ ଓ ଦଳୀୟ ସଂଖ୍ୟାକୁ ନେଇ ବାଚସ୍ପତି ଭୂମିକା ସବୁବେଳେ ଦୃଷ୍ଟି ଆକର୍ଷଣ କରିବ । ସେଥିପାଇଁ କୌଣସି ପ୍ରକାରରେ ବାଚସ୍ପତି ପଦବୀ ସହଯୋଗୀ ମେଂଟ ସାଥୀଙ୍କୁ ଦେବା ପାଇଁ ବିଜେପି ଚାହୁଁନି ।

ଏତତ ବ୍ୟତିତ ମନ୍ତ୍ରୀମଣ୍ଡଳର କ୍ୟାବିନେଟ ସୁରକ୍ଷାକମିଟିରେ ଥିବା ଅର୍ଥ, ଗୃହ, ପ୍ରତିରକ୍ଷା ଓ ବର୍ହିବ୍ୟାପାର ବିଭାଗ ମେଂଟ ସାଥୀଙ୍କ ମଧ୍ୟରେ ବାଟିଂବାକୁ ବିଜେପି ଅରାଜି । ଏଭଳି ସ୍ଥିତିରେ ନୂଆ ମନ୍ତ୍ରୀମଣ୍ଡଳରେ ଚନ୍ଦ୍ରବାବୁ ଓ ନୀତୀଶଙ୍କ ଭଳି ମହାତ୍ୱାକ୍ଷାଂଖୀ ଭଳି ନେତାମାନଙ୍କ ଦାବୀକୁ ମାନି ସରକାର ଚଳାଇବା ନରେନ୍ଦ୍ର ମୋଦୀଙ୍କ ପାଇଁ ବଡ ଚ୍ୟାଲେଂଜ ହୋଇପାରେ ।