ଦେଶରେ ନଗଦ ଟଙ୍କା କାରବାରକୁ କମ୍ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ନଗଦ ଟଙ୍କା ଉଠାଣ ଉପରେ ଟିକସ ଲଗାଇବା। ବର୍ଷକୁ ୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଉଥିବା ବ୍ୟକ୍ତିମାନଙ୍କ ଉପରେ ଏକ ସ୍ବତନ୍ତ୍ର ପ୍ରକାର ଟିକସ ଲଗାଇବା ଉପରେ ବିଚାର କରାଯାଉଛି। ଟଙ୍କା ଉଠାଣ ଉପରେ ଟିକସ ଲଗାଇ ସରକାର ତିନିଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ତାହା ହେଉଛି ନଗଦ ଟଙ୍କା କାରବାରକୁ କମ୍ କରିବା, କଳାଧନ ଉପରେ ଅଙ୍କୁଶ ଲଗାଇବା ଓ ଡିଜିଟାଲ୍ କାରବାର ପରିମାଣ ବଢ଼ାଇବା। ମୋଟା ଅଙ୍କର ଟଙ୍କା ଜଡ଼ିତ ଥିବା କାରବାର ପାଇଁ ଆଧାର ସ୍ବୀକୃତିକୁ ବାଧ୍ୟତାମୂଳକ କରିବା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଏବେ ୫୦ ହଜାରରୁ ଅଧିକ ପରିମାଣର ଟଙ୍କା ଜମା କରିବା ବେଳେ ପାନ୍ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆଗାମୀ ଦିନରେ କେତେକ କାରବାର ପାଇଁ ଆଧାର ସ୍ବୀକୃତି ଦରକାର ହେବ। ଆଧାର ନମ୍ବରର ଯେଭଳି ଅପବ୍ୟବହାର ନହୁଏ ତାହାକୁ ନିଶ୍ଚିତ କରିବା ପାଇଁ ଆଧାର ସ୍ବୀକୃତି ଓ ଓଟିପି ଉପରେ ଜୋର ଦିଆଯିବ। ସରକାର ଭାବୁଛନ୍ତି ଯେ, ଅଧିକାଂଶ ଲୋକ ବର୍ଷକୁ ୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଉନଥିବେ। କେତେକ ବ୍ୟବସାୟୀ ମଧ୍ୟ ଏତେ ଟଙ୍କା ଉଠାଉନଥିବେ। ଯେଉଁମାନେ ଏହା ଠାରୁ ଅଧିକ ପରିମାଣର ନଗଦ ଟଙ୍କା ଉଠାଉଛନ୍ତି, ସେମାନଙ୍କ ପାଇଁ କୌଣସି ପ୍ରକାର ସ୍ବୀକୃତି ପ୍ରଦାନ କରିବାରେ ଅସୁବିଧା ନାହିଁ।

Advertisment

publive-image

ଆସନ୍ତା ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ନଗଦ ଟଙ୍କା ଉପରେ ଟିକସ ଲଗାଇବା ସଂପର୍କିତ ଚର୍ଚ୍ଚା ଆରମ୍ଭ ହୋଇଛି। ଅବଶ୍ୟ ଏହି ଯୋଜନା ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି। ସରକାର ଏଭଳି କିଛି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଚାହୁନାହାନ୍ତି ଯଦ୍ୱାରା ମଧ୍ୟବିତ୍ତ ଓ ଗରିବମାନଙ୍କ ଉପରେ ଅତିରିକ୍ତ ଚାପ ରହିବ। ସବୁ ଦୃଷ୍ଟିରୁ ବିଚାର କରାଯିବା ପରେ ଟଙ୍କା ଉଠାଣ ଉପରେ ଟିକସ ଲଗାଇବା ନିଷ୍ପତ୍ତି ଗ୍ରହଣ କରାଯିବ। ଦେଶରେ ଡିଜିଟାଲ୍ କାରବାର ପରିମାଣ ବଢ଼ାଇବା ପାଇଁ ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନଇଏଫଟି ଓ ଆରଟିଜିଏସ୍ ଉପରୁ ଶୁଳ୍କ ଉଚ୍ଛେଦ କରାଯାଇଥିଲା। ବ୍ୟବସାୟ ଖର୍ଚକୁ ଡିଜିଟାଲ୍ କିମ୍ବା ଚେକ୍ ଜରିଆରେ ପେମେଣ୍ଟ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ବଡ଼ କଂପାନିଗୁଡ଼ିକ ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଦରମାକୁ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରୁଛନ୍ତି।