ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତାଉ-ତେ । କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ।

308

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌଟେ ଧୀରେ ଧୀରେ ଗୁଜରାଟ ଆଡକୁ ମାଡି ଆସୁଛି । ଆସନ୍ତା ମଙ୍ଗଳବାର ଏହା ଗୁଜରାଟରେ ସ୍ଥଳଭାଗକୁ ସ୍ପର୍ଶ କରିବ । ସଂଭାବ୍ୟ ସ୍ଥିତିକୁ ନଜରରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୬ ରାଜ୍ୟ ସହିତ ଆଲୋଚନା କରିଛନ୍ତି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ଗୋଆ ଓ କର୍ଣ୍ଣାଟକରେ ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି ।

ଦେଶର ଏ ହେଉଛି ସେହି ୬ ରାଜ୍ୟ ଯାହା ପ୍ରତି ବର୍ତମାନ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌଟେ ବଡ ବିପଦ ସୃଷ୍ଟି କରିଛି । ପଶ୍ଚିମ ଉପକୂଳରେ ଥିବା ରାଜ୍ୟ ମଧ୍ୟରୁ ବର୍ତମାନ ସାମୁଦ୍ରିକ ବାତ୍ୟା ତୌଟେ କର୍ଣ୍ଣାଟକ, ଗୋଆ, ତାମିଲନାଡୁରେ ଅଧିକ ପ୍ରଭାବ ପକାଇ ସାରିଲାଣି । ଧୀରେ ଧୀରେ ଏବେ ସାଂଘାତିକ ରୂପ ଧାରଣ କରୁଛି ବାତ୍ୟା । ଅଧିକ ଶକ୍ତିଶାଳୀ ହୋଇ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଉତର ଦିଗରେ ଘଂଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୧୨ ଘଂଟା ମଧ୍ୟରେ ବାତ୍ୟା ଆହୁରି ଘନୀଭୂତ ହେବ । ବର୍ତମାନ ଏହା ଗୋଆର ପାଣାଜୀ ଠାରୁ ଦେଢଶହ କିଲୋମିଟର ଦୂରରେ ରହିଛି ବାତ୍ୟା ।

ଆସନ୍ତା ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ଗୁଜରାଟ ଭାବନଗର ଜିଲ୍ଲାରେ ସ୍ଥଳଭାଗରେ ମାଡ ହୋଇପାରେ ସାମୁଦ୍ରିକ ବାତ୍ୟା ତୌଟେ । ଏହା ଆଗରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତନ ବି ଦେଖିବାକୁ ମିଳିଲାଣି । ଗୋଆ, ଗୁଜରାଟ, ମୁମ୍ବାଇ, କେରଳ ଓ କର୍ଣ୍ଣାଟକର ଅନେକ ସ୍ଥାନରେ ବର୍ଷା, ପବନ ପରେ ବହୁ ପରିମାଣରେ ଗଛ ଓ ବିଜୁଳି ଖୁଂଟ ଉପୁଡି ପଡିଛି । କର୍ଣ୍ଣାଟକରେ ୭୩ ଗାଁ ପ୍ରଭାବିତ, ୪ ଜଣଙ୍କ ମୃତ୍ୟୁ ସୂଚନା । ସେପଟେ ମୁମ୍ୱାଇ ଉପକୂଳରେ ଜାରି ହୋଇଛି ରେଡ୍ ଆଲର୍ଟ ।

ଏହି ୬ ରାଜ୍ୟରେ ବାତ୍ୟାର ସମ୍ଭାବ୍ୟ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତକାଲି ଶନିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରବିବାର ଶାହା ବାତ୍ୟା ସ୍ଥିତିକୁ ନେଇ କଥା ହୋଇଛନ୍ତି । ମଙ୍ଗଳବାର ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଂଟା ପ୍ରତି ୧୫୦ରୁ ୧୭୫ କିଲୋମିଟର ଯାଏଁ ପହଂଚିଯିବ ବୋଲି ଆଇଏମଡିର ଆକଳନ ପରେ ବଢି ଯାଇଛି ଚିନ୍ତା ।