ରବିବାର ସୁଦ୍ଧା ବାତ୍ୟାର ରୂପ ନେବ ଆରବ ସାଗରରେ ସୃଷ୍ଟ ଲଘୁଚାପ : ମୁମ୍ବାଇ ଓ ଥାନେ ପାଇଁ ୟେଲୋ ୱାର୍ଣ୍ଣିଂ

ଗୁଜୁରାଟ ଓ କେରଳର ଅନେକ ଜିଲ୍ଲା ପାଇଁ ଅରେଂଜ ଓ ରେଡ ୱାର୍ଣ୍ଣିଂ ଜାରି କଲା ଆଇଏମଡି; ମେ ୧୮ ସୁଦ୍ଧା ଗୁଜୁରାଟରେ ଉପକୂଳ ଛୁଇଁବା ଆଶଙ୍କା

291

କନକ ବ୍ୟୁରୋ : ଆରବ ସାଗରରେ ଲାକ୍ଷାଦୀପ ଦ୍ୱୀପ ସମୁହ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସୁଦ୍ଧା ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ଆଗାମୀ ୨୪ ଘଂଟା ଭିତରେ ଏହା ଭୀଷଣ ଘୁର୍ଣ୍ଣିଝଡ ଏବଂ ପରବର୍ତୀ ୨୪ ଘଂଟାରେ ଅତି ଭୀଷଣ ଘୁର୍ଣ୍ଣିଝଡର ରୁପର ନେବ । ମେ ୧୮ ତାରିଖ ବେଳକୁ ଏହା ଗୁଜରାଟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବର୍ତମାନ ଏହା କେରଳ ଉପକୂଳର ୩୨୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମକୁ ଏବଂ ଗୁଜରାଟ ଉପକୂଳର ୧୧ଶହ ୨୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ରହିଛି । ଏହି ବାତ୍ୟାର ନାଁ ଦିଆଯାଇଛି ତୌକତ୍ । ମିଆଁମାର ଏହାର ନାମକରଣ କରିଛି । ୧୮ ତାରିଖ ବେଳକୁ ତୌକତ୍ ଅତି ଭୀଷଣ ଘୁର୍ଣ୍ଣିଝଡର ରୁପ ନେଇ ଗୁଜରାଟ ଉପକୂଳ ଛୁଇଁବା ଆଶଙ୍କା ଥିବାରୁ ଓଡିଶାରୁ ଏନଡିଆରଏଫର ଟିମ ଗୁଜରାଟ ଅଭିମୁଖେ ବାହାରିଛନ୍ତି ।

ବାତ୍ୟା ଉପକୂଳ ଛୁଇଁଲା ବେଳକୁ ଘଂଟାପ୍ରତି ପବନର ବେଗ ଦେଢଶହରୁ ୧୬୦ କିଲୋମିଟର ରହିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ । ଏପରିକି ସର୍ବାଧିକ ୧୭୫ କିଲୋମିଟର ଛୁଇଁପାରେ । ଏହାର ପ୍ରଭାବରେ ଆଜିଠାରୁ ମୁମ୍ବାଇ ଓ ଥାନେରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗୁଜରାଟ ଓ କେରଳର ଅଧିକାଂଶ ଜିଲ୍ଲାରେ ଅରେଂଜ ଓ ରେଡ ଆଲର୍ଟ ଜାରି କରିଛି ଆଇଏମଡି ।