କନକ ବ୍ୟୁରୋ: ପ୍ର୍ରତିଶ୍ରୁତିର ୯୦ ଦିନ ପୁରିଗଲା । କିନ୍ତୁ ସରକାର ଦାବି ପୂରଣ କଲେ ନାହିଁ । ଆଉ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଡ୍ରାଇଭର ସଂଘ ।

Advertisment

ସଂଘ କହିଛି,  ବୋର୍ଡ ଗଠନ ପାଇଁ କୁହାଯାଇଥିଲେ ବି ବୋର୍ଡ ଗଠନ ହେଲା ନାହିଁ । ମାସକରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବୋର୍ଡ ନଥିବା ଯୋଗୁୁଁ କିଛି ବି କାମ ହେଉନାହିଁ ।

ଆଗାମୀ ୩୦ ତାରିଖ ମଧ୍ୟରେ ସରକାର ଏନେଇ ନିଷ୍ପତି ନନେଲେ, ପୁଣି ରାଜ ରାସ୍ତାକୁ ଓହ୍ଲାଇବ ସଂଘ ବୋଲି କହିଛି । ଦରକାର ପଡ଼ିଲେ ବିରୋଧୀଙ୍କ ସହ ମିଶିବାକୁ ବି ଚେତାବନୀ ଦେଇଛି । ଏପରିକି ଦରକାର ପଡ଼ିଲେ ଡ୍ରାଇଭର ଏକତା ମହାମଞ୍ଚ ରାଜନୀତି କରିବ ବୋଲି କହିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

ମାର୍ଚ୍ଚ ମାସ ୧୫ ତାରିଖରେ ୧୦ ଦଫା ଦାବିରେ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଡ୍ରାଇଭର ସଂଘ । ଷ୍ଟିଅରିଂ ଆନ୍ଦୋଳନ ହୋଇଥିଲା । ରାଜ୍ୟରେ ଏକରକମ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଆନ୍ଦୋଳନ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ଓ ପରିବହନ ମନ୍ତ୍ରୀ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ୍ କରିଥିଲେ । ଶେଷରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ତେବେ ୯୦ ଦିନ ପରେ ଗତ ଜୁନ ମାସରେ ବୋର୍ଡ ଗଠନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର ।

ଏବେ ପ୍ରତିଶ୍ରୁତି ଅନୁଯାୟୀ ସରକାର ବୋର୍ଡ ଗଠନ କରିନାହାନ୍ତି ।  ଯାହାଫଳରେ ପୁଣି ସରକାରଙ୍କୁ ନାଲିଆଖି ଦେଖାଇଛନ୍ତି ଡ୍ରାଇଭର ସଂଘ । ବର୍ତମାନ ଡ୍ରାଇଭରଙ୍କ ଚେତାବନୀ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।