ଆଉ ନିର୍ବାଚନ ଲଢିବେନି ତଥାଗତ । ରାଜନୀତିରୁ ସନ୍ୟାସ ନେବେ ସାଂସଦ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା, ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଏଭଳି ଆକସ୍ମିକ ନିଷ୍ପତି ରାଜନୈତିକ ମହଲରେ ବଡ ହଟଚମଟ ସୃଷ୍ଟି କରିଛି । କାରଣ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ଢେଙ୍କାନାଳ ସାଂସଦ । ଏପରିକି ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତି କରିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଭଳି ଘୋଷଣା ସ୍ୱାଭାବିକ ଘଟଣା । ହେଲେ ଦୀର୍ଘବର୍ଷ ଧରି ସକ୍ରିୟ ରାଜନୀତିରେ ଥିବା ଜଣେ ପ୍ରଭାବଶାଳୀ ଚେହେରା ଏଭଳି ଘୋଷଣା କରିବା ଅତି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି । ତେବେ ସେ ବିଜେଡି ଛାଡି ଅନ୍ୟ ଦଳକୁ ଯିବେନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ।
ପରିବର୍ତନ ଚାହୁଁଥିବା ଯୁବବର୍ଗ ଓ ନୀତି ନିର୍ଦ୍ଧାରକଙ୍କ ପାଇଁ ବୟସ୍କମାନେ ବାଟ ଛାଡିଦେବା ଉଚିତ୍ ବୋଲି ମତ ରଖିଛନ୍ତି ତଥାଗତ । ରାଜନେତା ୬୦ ବର୍ଷ ପରେ ସକ୍ରିୟ ରାଜନୀତିରୁ ଅବସର ନେଇ ଯୁବବର୍ଗଙ୍କ ପାଇଁ ବାଟ ଫିଟାଇବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି । ବଡକଥା ହେଉଛି ଦାର୍ଘ ତିନି ଦଶନ୍ଧି ଧରି ରାଜ୍ୟ ରାଜନୀତିରେ ରହି ନିର୍ବାଚନୀ ସଫଳତା ସତ୍ୱେ ୨୦୧୯ର ଗୁରୁତ୍ୱପୂର୍ଣ୍ଣ ଲଢେଇକୁ ବାଏବାଏ କହିଦେଇଛନ୍ତି ତଥାଗତ ।
୧୯୯୦ରେ ଜନତା ଦଳ ଟିକେଟରେ ପ୍ରଥମଥର ଢେଙ୍କାନାଳରୁ ବିଧାୟକ । ୧୯୯୮, ୨୦୦୪, ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରେ ଢେଙ୍କାନାଳ ସାଂସଦ । ଷୋଡଷ ଲୋକସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ।
ଦୀର୍ଘଦିନ ଧରି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାବାସୀଙ୍କ ପ୍ରତିନିଧିତ୍ୱ କରୁଥିବା ତଥାଗତଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ ବିଜୁ ବାବୁ । ତେଣୁ ତାଙ୍କ ଜନ୍ମ ଜୟନ୍ତୀରେ ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି ତଥାଗତ ସତପଥୀ । ତେବେ ଚର୍ଚ୍ଚା ହେଉଛି ଆଗାମୀ ନିର୍ବାଚନରେ ଟିକେଟ ନମିଳିବା ଆଶଙ୍କାରେ ଏଭଲି ନିଷ୍ପତି ନେଇଥାଇ ପାରନ୍ତି ତଥାଗତ ।
ହେଲେ ଥରେ ବିଧାୟକ ଓ ୪ଥର ସାଂସଦ ରହିବା ପରେ ଟିକେଟ କଟିବାର କୌଣସି କାରଣ ନାହିଁ ବୋଲି ତଥାଗତ ଦୃଢୋକ୍ତି କରିଛନ୍ତି । ତେବେ ଘୋଷଣା ମୁତାବକ ତଥାଗତ ସକ୍ରିୟ ରାଜନୀତିରୁ ଦୂରେଇ ରହୁଛନ୍ତି, ନା ଅନ୍ୟ କୌଣସି ଶିବିରରୁ ୨୦୧୯ରେ କସରତ କରୁଛନ୍ତି ତା ଉପରେ ନଜର ରହିବ ।