କନକ ବ୍ୟୁରୋ : ଦେଶରେ ପେଟ୍ରୋଲ-ଡିଜେଲ ଦର ଲଗାତାର ବଢିବା ପରେ ଏବେ ସ୍ଥିର ରହିଛି ତୈଳ ଦର । କିନ୍ତୁ ବିଶ୍ୱ ବଜାରରେ ହୁ ହୁ ହୋଇ ବଢିବାରେ ଲାଗିଛି ଅଶୋଧିତ ତୈଳର ଦର । ଯାହା ତେଲ କମ୍ପାନୀଗୁଡିକ ଉପରେ ସିଧାସଳଖ ପ୍ରଭାବ ପକାଉଥିଲେ ବି ତୈଳ ଦର ସ୍ଥିର ରହିଛି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦେଖି ତୈଳ ଦର ବୃଦ୍ଧି କରାଯାଉନଥିବା କୁହାଯାଉଛି । ତେବେ ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦର ୫-୬ଟଙ୍କା ବଢିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନହେବା କାରଣରୁ ତେଲ କମ୍ପାନୀଗୁଡିକୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ତେଣୁ ମାର୍ଜିନକୁ ସନ୍ତୁଳନରେ ରଖିବା ପାଇଁ ଲିଟର ପିଛା ୫-୬ ଟଙ୍କା ବୃଦ୍ଧି କରିବା ଜରୁରୀ ହୋଇପଡିଛି । ଯଦି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମ ଏହିପରି ଉଚ୍ଚ ସ୍ତରରେ ରୁହେ ତେବେ ୫ଟି ରାଜ୍ୟରେ ନିର୍ବାଚନ ପରେ ତେଲ ଦର ନିଶ୍ଚୟ ବଢିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା କେମିତି ବଢେ ତୈଳ ଦର ।
ଯଦି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି ପାଏ ତେବେ ଘରୋଇ ବଜାରରେ ତୈଳ ଦର ୪୫-୪୭ ପଇସା ବୃଦ୍ଧି ପାଇଥାଏ । କିନ୍ତୁ ଅନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ବଢିଚାଲିଥିଲେ ବି ଘରୋଇ ବଜାରରେ ଦୀପାବଳି ପରଠୁ ସ୍ଥିର ରହିଛି ତୈଳ ଦର । ଏଠାରେ କହିରଖୁଛୁ କି, ନଭେମ୍ବର ମାସ ପରଠୁ କଞ୍ଚା ତେଲ ବ୍ୟାରେଲ ପିଛା ମୂଲ୍ୟ ୨୫ ଡଲାର ବଢିସାରିଲାଣି ।
ସେପଟେ ଋଷ ଓ ୟୁକ୍ରେନ୍ ବିବାଦ ପାଇଁ ମଙ୍ଗଳବାର ସୁଦ୍ଧା ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୪ ଡଲାରରେ ପହଞ୍ଚିସାରିଛି । ୨୦୧୪ ମସିହା ପରେ ଏପରି ପରିସ୍ଥିତି ପୁଣି ଉପୁଜିଛି, ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଋଷ-ୟୁକ୍ରେନ୍ ବିବାଦରେ ଶୀଘ୍ର ପୁର୍ଣ୍ଣଛେଦ ନପଡେ ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତେଲ ଦର ବ୍ୟାରେଲ ପିଛା ୧୨୫ ଡଲାର ଟପିପାରେ ବୋଲି ଅନୁମାନ କରାଯାଉଛି ।
ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ରହିଛି । ଯାହାକି ସାଧାରଣ ଲୋକଙ୍କ ପକେଟ ଉପରେ ଜୋରଦାର ପ୍ରଭାବ ପକାଉଛି । ଏଭଳି ପରିସ୍ଥିତିରେ ଯଦି ପୁଣି ପେଟ୍ରୋଲ-ଜିଜେଲ ଦର ବୃଦ୍ଧି ପାଏ ତାହେଲେ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଉପରେ ବଡ ପ୍ରଭାବ ପକାଇବ ।
Follow Us