ବିକ୍ରି ହେବ ଏୟାର ଇଣ୍ଡିଆ । ସରକାରୀ ବିମାନ ସଂସ୍ଥାକୁ କିଣିବ ଟାଟା, ୮୮ବର୍ଷ ପରେ ଟାଟାକୁ ପୁଣି ମିଳିପାରେ ଏୟାର ଇଣ୍ଡିଆର ମାଲିକାନା ।

361

କନକ ବ୍ୟୁରୋ : ବିକ୍ରି ହେବାକୁ ଯାଉଛି ଭାରତର ସରକାରୀ ବିମାନ ସଂସ୍ଥା ଏୟାର ଇଣ୍ଡିଆ । ଘାଟାରେ ଚାଲୁଥିବା ଏହି କମ୍ପାନୀ ଋଣ ବୋଝରେ ବୁଡି ରହିଛି । ଯାହା ଫଳରେ ଏହି କମ୍ପାନୀକୁ ବିକ୍ରି କରିବା ପାଇଁ ନିଲାମ ଡାକିଛନ୍ତି ସରକାର । ଆସନ୍ତା ମାର୍ଚ୍ଚ ୧୭ ସୁଦ୍ଧା ନିଲାମଧାରୀମାନେ ଏହି ବିମାନ ସଂସ୍ଥା କିଣିବା ପାଇଁ ଆବେଦନ କରି ପାରିବେ । ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ପ୍ଲାନ କରାଯାଇଛି ।

ବିକ୍ରି ହେବ ଏୟାର ଇଣ୍ଡିଆ । ସରକାରୀ ବିମାନ ସଂସ୍ଥାକୁ କିଣିବ ଟାଟା । ବିକ୍ରି ହେବାକୁ ଯାଉଛି ଦେଶର ସରକାରୀ ବିମାନସଂସ୍ଥା ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ନିଲାମ ଧରିବା ପାଇଁ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଗ୍ରାହକଙ୍କୁ ଆବେଦନ କରିବାକୁ କୁହାଯାଇଛି । ପୂର୍ବରୁ ଅନେକ ଥର ଏୟାର ଇଣ୍ଡିଆକୁ ବିକ୍ରି କରିବାର ଯୋଜନା କରାଯାଇଛି । ହେଲେ ତାହା ଫଳପ୍ରଦ ହୋଇପାରିନି ।

ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆକୁ କିଣିବା ଦୌଡରେ ଟାଟା ଗ୍ରୁପ ସବୁଠାରୁ ଆଗରେ ରହିଛି । ସିଙ୍ଗାପୁର ଏୟାରଲାଇନ୍ସ ସହ ମିଶି ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ କିଣିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଟାଟା ଗ୍ରୁପ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍ ଏୟାର ଇଣ୍ଡିଆ ନିଲାମ ଧରିବା ପାଇଁ ରାଜି ହୋଇଥିବା ଜଣାପଡିଛି । ତେବେ ବିମାନ ଚଳାଚଳ କ୍ଷେତ୍ରରେ ଟାଟା ଗ୍ରୁପର ଅନୁଭୂତି ବେଶ ପୁରୁଣା ।

୧୯୩୨ରେ ଜେଆରଡି ଟାଟା ପ୍ରଥମେ ଏୟାର ଇଣ୍ଡିଆର ମୂଳଦୁଆ ପକାଇଥିଲେ । ସେତେବେଳେ ଏହି କମ୍ପାନୀର ନାଁ ଟାଟା ଏୟାରଲାଇନ୍ସ ଥିଲା । ୧୯୪୬ରେ କମ୍ପାନୀକୁ ନ୍ୟାସନାଲାଇଜ୍ କରାଯିବା ପରେ କମ୍ପାନୀର ନାଁ ବଦଳାଯାଇ ଏୟାର ଇଣ୍ଡିଆ ରଖାଗଲା । ଏବେ ୮୮ ବର୍ଷ ପରେ ଏହି ବିମାନ ସଂସ୍ଥା ପୁଣି ଟାଟା ହାତକୁ ଫେରିବାକୁ ଯାଉଛି ।

ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆ କମ୍ପାନୀକୁ ବିକ୍ରି କରିବା ପାଇଁ ଏକ ଆକର୍ଷଣୀୟ ପ୍ଲାନ ଗ୍ରାହକଙ୍କ ନିକଟରେ ଉପସ୍ଥାପନ କରାଯିବ ।

ଏୟାର ଇଣ୍ଡିଆ ପ୍ଲାନ,

– ଏୟାର ଇଣ୍ଡିଆକୁ ବିକିବା ପାଇଁ ସରକାର କମ୍ପାନୀର ଋଣ ଅଧା କରିବେ
– ଏୟାର ଇଣ୍ଡିଆ ଉପରେ ବର୍ତମାନ ୫୮ହଜାର କୋଟିର ଋଣ ରହିଛି
– ଋଣ କମ କରିବା ପାଇଁ ୨୨ହଜାର କୋଟି ବଣ୍ଡ ଜରିଆରେ ଯୋଗାଡ କରାଯାଇଛି
– ଏଥିରୁ ୧୫ହଜାର କୋଟି ‘ୱର୍କିଂ କ୍ୟାପିଟାଲ ଲୋନ’ ସୁଝିବା ପାଇଁ ପ୍ରୟୋଗ କରାଯିବ
– ବଳକା ୭ହଜାର କୋଟିରୁ ଏୟାରକ୍ରାଫ୍ଟ ଋଣ ସୁଝାଜିବ

ଋଣକୁ ଅଧା କରିବାର ଅର୍ଥ କ୍ରେତାଙ୍କୁ ଆକୃଷ୍ଟ କରିବା । ଏହି ପ୍ଲାନ ଆଧାରରେ ଏୟାର ଇଣ୍ଡିଆ କମ୍ପାନୀର ବିକ୍ରି ହୋଇ ପାରିବ ବୋଲି ସରକାର ଆଶା ରଖିଛନ୍ତି । ଏୟାର ଇଣ୍ଡିଆ ଭାରତରେ ୨୦ଟି ସହର, ବିଦେଶରେ ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଏସିଆର ୧୩ଟି ସହରରେ ଉଡାଣ ଭରିଥାଏ । ଏଥିରେ ୨୫ଟି ବୋଇଂ ୭୩୭ ବିମାନ ରହିଛି । ସେହିପରି ଏୟାର ଏସିଆ ପାଖରେ ୨୯ଟି ଏୟାରବେସ ଏ୩୨୦ ବିମାନ ରହିଛି ଯାହା ୨୧ଟି ସହରରେ ଉଡାଣ ଭରୁଛି ।