ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟାଗ୍ରୁପ୍ : ନିଲାମକୁ କେନ୍ଦ୍ର ସରକାରର ମଞ୍ଜୁରି 

228

କନକ ବ୍ୟୁରୋ : ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟା ଗୁପ୍ । ନିଲାମ ଜିତିଲା ଟାଟା ସନ୍ସ । ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିଛି ଏୟାର ଇଣ୍ଡିଆ । ଅର୍ଥାତ ଏବେ ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇ ହୋଇଛି । ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ । ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଛି । ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା ।

ତାପରେ ଯେତେବେଳେ ପୁଣି ବିମାନ ସେବା ସ୍ୱାଭାବିକ ହେଲା, ସେତେବେଳେ ୨୯ ଜୁଲାଇ ୧୯୪୬ରେ ଟାଟା ଏୟାରଲାଇନ୍ସର ନାମକୁ ପରିବର୍ତନ କରି ଏୟାର ଇଣ୍ଡିଆ ଲିମିଟେଡ୍ ରଖାଯାଇଥିଲା । ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ । ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ । କିନ୍ତୁ ଗତ ବର୍ଷ ଜାନୁଆରୀରୁ ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।