ଟାଟା ଷ୍ଟିଲର ଐତିହାସିକ ଘୋଷଣା । କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ୬୦ ବର୍ଷ ପର୍ଯ୍ୟନ୍ତ ମିଳିବ ଦରମା । ଏହାସହ ଅନେକ ସୁବିଧା ।

419

କନକ ବ୍ୟୁରୋ : ଦେଶରେ କାୟାବିସ୍ତାର କରିଥିବା କରୋନା ମହାମାରୀ ଭିତରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଦେଶର ସବୁଠାରୁ ବଡ ଷ୍ଟିଲ କମ୍ପାନୀ ଟାଟା ତା’ର କର୍ମଚାରୀ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛି । ଏହି ଯୋଜନା ଅଧିନରେ ଟାଟା ଷ୍ଟିଲରେ କାମ କରୁଥିବା କୌଣସି କର୍ମଚାରୀଙ୍କର ଯଦି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଏ ତେବେ କମ୍ପାନୀ ପକ୍ଷରୁ ତାଙ୍କର ପରିବାର ଲୋକଙ୍କୁ ୬୦ ବର୍ଷ ପର୍ଯନ୍ତ ଦରମା ପ୍ରଦାନ କରାଯିବ ।

କମ୍ପାନୀ ତା’ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଏକ ସର୍କୁଲାର ଜାରି କରିଛି । ଯେଉଁଥିରେ ଏହାର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି । କମ୍ପାନୀ ତରଫରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଛି କି.  ଯଦି ଜଣେ କର୍ମଚାରୀଙ୍କର ମୃତ୍ୟୁ କରୋନା ସଂକ୍ରମଣ ଦ୍ୱାରା ହୁଏ ତେବେ ତାର ପରିବାରକୁ ୬୦ ବର୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

  • ଏହି ଦରମା କର୍ମଚାରୀଙ୍କ କାର୍ଯ୍ୟକାଳର ଶେଷ ମାସର ଦରମାରୁ ଆରମ୍ଭ ହେବ ।
  • ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ଯାଏ ଏହି ରାଶି ପ୍ରାପ୍ତ ହେବ ।
  •  ମୃତକଙ୍କ ପରିବାରକୁ ସବୁ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦିଆଯିବ ।
  • ମୃତକଙ୍କ ପରିବାର ପାଇଁ ଘର ନିର୍ମାଣରେ ସହାୟତା କରିବ କମ୍ପାନୀ ।
  • ମୃତ କର୍ମଚାରୀଙ୍କ ପିଲାମାନଙ୍କ ଗ୍ରାଜୁଏସନ ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ।

ଆପଣମାନଙ୍କୁ କହିରଖୁ କି. ଏହା ପୂର୍ବରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତା’ର କର୍ମଚାରୀ ମାନଙ୍କ ପାଇଁ ଏଭଳି ଘୋଷଣା କରିସାରିଛି । କମ୍ପାନୀ ତରଫରୁ କୁହାଯାଇଛି କି. ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ କମ୍ପାନୀର ପରିବାର ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ମୃତ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଦରମା ଓ ବାର୍ଷିକ ଆୟର ଦୁଇଗୁଣା ରାଶି ପ୍ରଦାନ କରାଯିବ । ଏହାସହ କର୍ମଚାରୀଙ୍କ ପିଲାଙ୍କ ପାଠପଢା ପାଇଁ (+୨) ପର୍ଯ୍ୟନ୍ତ ପିଲାପ୍ରତି ବାର୍ଷିକ ୨ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ।