ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ସମାବେଶ ଉଦଯାପିତ: ଦୁଷ୍କର୍ମ ରୋକିପାରିବ ସତର୍କତା, ସଚେତନତା, ଶିକ୍ଷା

91

କନକ ବ୍ୟୁରୋ: ବହୁତ ହୋଇଗଲା ଝିଅଙ୍କୁ ପରାମର୍ଶ ଦେବା ଏବେ ପୁଅଙ୍କୁ ସମ୍ଭାଳନ୍ତୁ । ଝିଅମାନେ ସବୁ ପରୀକ୍ଷାରେ ଟପ୍ପର, ସବୁ କ୍ଷେତ୍ରରେ ଆଗୁଆ ଏବଂ ଦେଶରେ ୫୦ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ମହିଳା । ଟାଟା ସାହିତ୍ୟ ଉତ୍ସବ ଅବସରରେ ନାରୀ ପାଇଁ ଦେଶରେ ସୁରକ୍ଷିତ ଜାଗାଟିଏ ଅଛି କି ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ଭାଗ ନେଇ ଏଭଳି କହିଛନ୍ତି ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ।

ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଶତପ୍ରତିଶତ ମହିଳା ସୁରକ୍ଷିତ । କନ୍ୟାଭ୍ରୁଣ ହତ୍ୟା ହେଉ ଅବା ଯୌତୁକ ନିର୍ଯ୍ୟାତନା ଶିକ୍ଷିତ ତଥା ସହରାଂଚଳରେ ବହୁମାତ୍ରାରେ ଦେଖିବାକୁ ମିଳୁଛି । ପ୍ରଥମେ ମାନସିକତାକୁ ବଦଳାଇବାକୁ ପଡିବ ବୋଲି କହିଛନ୍ତି ତନୟା ପଟ୍ଟନାୟକ । ସେହିଭଳି ଅନ୍ୟତମ ଅତିଥି ତଥା କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା କହିଛନ୍ତି ମୁଁ ପୁରୁଷ ସମାଜକୁ ନୁହେଁ, ପୁରୁଷ ସମାଜକୁ ପ୍ରାଧାନ୍ୟ ଦେଉଥିବା ମାନସିକତାକୁ ବିରୋଧ କରେ ।

ନାରୀ ତାର କଳ୍ପନା ଜଗତରେ ରହିବାକୁ ପସନ୍ଦ କରେ, ତାକୁ ସେ ସୁବିଧା ଦେଇପାରିଲେ ତାର ମଙ୍ଗଳ ହେବା ସହ ସମାଜର ମଙ୍ଗଳ ସାଧନ ହୋଇପରିବ ବୋଲି କହିଛନ୍ତି ଲେଖିକା ପାରମିତା ଶତପଥୀ । ଏହି ଆଲୋଚନାକୁ ପରିଚାଳନା କରିଥିଲେ ସମ୍ବାଦର ଫିଚର ସମ୍ପାଦକ ଗୌରହରୀ ଦାସ ।