ଟାଟା ପାୱାର ହାତକୁ ଗଲା ସେସୁର ମାଲିକାନା । ୧୭୮ କୋଟି ୫୦ ଲକ୍ଷ ଟଙ୍କାରେ ସେସୁର ୫୧ ପ୍ରତିଶତ ଅଂଶଧନ ବିକ୍ରି, ଗ୍ରୀଡକୋ ପାଖରେ ରହିବ ୪୯ ପ୍ରତିଶତ ଅଂଶଧନ ।

1,386

କନକ ବ୍ୟୁରୋ : ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ୧୭୮କୋଟି ୫୦ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ରାଜ୍ୟ ସରକାର । ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନ ଟାଟା ପାୱାର ଲିମିଟେଡକୁ ସେସୁର ସେୟାର ବିକ୍ରି କରିଛନ୍ତି । ସେସୁର ୫୧% ଅଂଶଧନ ଟାଟା ପାୱାର ଲିମିଟେଡ କିଣିଛି । ଏଣିକି ସେସୁ ସେବା ପ୍ରଦାନ କରୁଥିବା ସବୁ ଜିଲ୍ଲାରେ ବିଦ୍ୟୁତ ବିତରଣ ଟାଟା ପାୱାର ଜରିଆରେ ହେବ । ଏହା ସହ ବକେୟା ବିଜୁଳି ବିଲ୍ ବି ଟାଟା ପାୱାର ଲିମିଟେଡ୍ ଆଦାୟ କରିବ । ଏଥିପାଇଁ ସେସୁର ନାଁକୁ ବଦଳାଇ ଟିପି-ସିଓଡିଏଲ କରାଯାଇଛି ।

ସେସୁର ଘରୋଇକରଣ । ସେସୁକୁ କିଣିଲା ଟାଟା । ଓଇଆରସି ଅଧିନରେ କାର୍ଯ୍ୟ କରୁଥିବା ସେସୁର ୫୧% ଅଂଶଧନ କିଣିଛି ଟାଟା ପାୱାର ଲିମିଟେଡ । ସେସୁ ସେବା ଯୋଗାଉଥିବା ଓଡିଶାର ୯ଟି ଜିଲ୍ଲାରେ ଏଣିକି ଟାଟା ପାୱାର ଲିମିଟେଡ ବିଜୁଳି ଯୋଗାଣ ବ୍ୟବସ୍ଥା ବୁଝିବ । ଏହା ସହ ସେସୁର ନାଁ ବଦଳାଇ ଏହାକୁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିସଷ୍ଟ୍ରିବ୍ୟୁସନ ଲିମିଟେଡ କରାଯାଇଛି । ଏଥିପାଇଁ ଓଇଆରସି ଟିପି-ସିଓଡିଏଲକୁ ସବୁ ପ୍ରକାର କ୍ଷମତା ଦେଇଛନ୍ତି ।

୧୯୯୯ରେ ଆରମ୍ଭ ହୋଇଥିଲା ସେସୁ । ପରବର୍ତ୍ତୀ ସମୟରେ ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନ ଏକ ସ୍ୱତନ୍ତ୍ର ବୋର୍ଡ ଜରିଆରେ ଏହାର ପରିଚାଳନା କରିଆସୁଥିଲେ । ହେଲେ ବର୍ତ୍ତମାନ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇଛନ୍ତି ସରକାର ।

ସେସୁକୁ ବିକ୍ରି କରିବା ସହ ଟାଟା ପାୱାରକୁ ବିଦ୍ୟୁତ ଯୋଗାଣ ଓ ପରିଚାଳନାର ସବୁ ଦାୟିତ୍ୱ ଦିଆଯାଇଛି । ସେସୁର ସାମୂହିକ ବୈଷୟିକ ଓ ବ୍ୟବସାୟିକ କ୍ଷତି କମାଇବ ଟାଟା ପାୱାର ଲିମିଟେଡ । ୨୦୨୫ମସିହା ସୁଦ୍ଧା ଗ୍ରାହକଙ୍କ ଠାରୁ ୨୦୦କୋଟିର ବକେୟା ବିଲ୍ ସଂଗ୍ରହ କରିବ ଟାଟା ପାୱାର । ଟାଟା ପାୱାର ଗ୍ୟାରେଂଟି ବାବଦରେ ୧୫୦କୋଟି ଟଙ୍କା ସରକାରଙ୍କୁ ଦେବ ।

ସେସୁ ବିକ୍ରି ହେବା ପରେ ଏହାର ସମସ୍ତ କର୍ମଚାରୀ ଟାଟା ଗ୍ରୁପ ଅଧିନରେ କାମ କରିବେ । ଏହାସହ ସେସୁକୁ ନେଇ ଯେଉଁ ସବୁ ବାଦ ବିବାଦ ଓ ମାମଲା ଚାଲିଛି ତାହା ବି ଟାଟା ପାୱାର ଦ୍ୱାରା ପରିଚାଳିତ ହେବ ।

୨୦୦୨ ମସିହାରେ ଦିଲ୍ଲୀର ବିଜୁଳି ବିତରଣ ବ୍ୟବସ୍ଥା ବି ଟାଟା ପାୱାରକୁ ବିକ୍ରି କରାଯାଇଥିଲା । ସେତେବେଳେ ବିତରଣ ଜନିତ କ୍ଷତି ସହ, ଗ୍ରାହକଙ୍କ ଅଭିଯୋଗର ସମାଧାନ ଓ ଅବ୍ୟବସ୍ଥିତ ବିଜୁଳି ବିତରଣ ଟାଟା ପାୱାର ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ବର୍ତ୍ତମାନ ସେସୁକୁ କିଣିବା ପରେ ବି ସମାନ ଚ୍ୟାଲେଞ୍ଜ ସୃଷ୍ଟି ହେବାର ଆଶଙ୍କା ଥିବା ବିଶେଷଜ୍ଞ କହିଛନ୍ତି ।