ପ୍ରଥମେ ସେସୁ…ପରେ ସାଉଥକୋ ଓ ୱେସକୋ : ଏବେ ନେସ୍କୋକୁ ବି ଟାଟା ପାଓ୍ୱାର ହାତରେ

69

କନକ ବ୍ୟୁରୋ : ପ୍ରଥମେ ସେସୁ । ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାଵାର କମ୍ପାନି ହାତେଇଛି । ଗୋଟିକ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଟେକି ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ନେସ୍କୋ କମ୍ପାନିର ୫୧% ଅଂଶଧନକୁ ଟାଟା ପାଓ୍ୱାର କିଣିବାରେ ସଫଳ ହୋଇଛି । ଫଳରେ ସମଗ୍ର ରାଜ୍ୟର ବିଦ୍ୟୁତ ବଣ୍ଟନ ଓ ପରିବହନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନି ହାତରେ ନ୍ୟସ୍ତ ହୋଇଯାଇଛି । ଯାହାକୁ ଉପଭୋକ୍ତା ମହାସଂଘ କଡ଼ା ବିରୋଧ କରିଛି। କହିଛି, ଯେପରି ଭାବେ ଟାଟା କମ୍ପାନିକୁ ଅଂଶଧନ ବିକ୍ରି କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୧୯୫୫ର ବିରୁଦ୍ଧାଚରଣ କରୁଛି । ଏବେ ରାଜ୍ୟର ୯୦ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଟାଟା ପାଓ୍ବାର ଏକଚାଟିଆ କାରବାର ଆରମ୍ଭ କରିବ ବୋଲି ମହାସଂଘ ସତର୍କ କରାଇଦେଇଛି ।

ଓଇଆର୍‌ସି ଟାଟା କମ୍ପାନିକୁ ନେସ୍କୋ ଡିଭିଜନ୍‌ ଅଧୀନରେ ଆସୁଥିବା ବାଲେଶ୍ବର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଦ୍ୟୁତ ବଣ୍ଟନ ଦାୟିତ୍ବ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରିବା ପରେ କମ୍ପାନି ସେୟାର ବଜାରରେ ଅଂଶଧନ କାରବାର ପାଇଁ ବମ୍ବେ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ୍‌ ଓ ନ୍ୟାସନାଲ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ୍‌କୁ ଚିଠି ଲେଖି ଜଣାଇଛି । ଦେଶର ଏହି ପ୍ରମୁଖ ଅଂଶଧନ କାରବାର କରୁଥିବା ଏଜେନ୍‌ସିକୁ ଗତକାଲି ଟାଟା ପାଵାର କର୍ତ୍ତୃପକ୍ଷ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାର ୫ଟି ଜିଲ୍ଲାରେ ବିଦ୍ୟୁତ ବଣ୍ଟନ ଦାୟିତ୍ବ ପାଇଁ କମ୍ପାନି ଗୋଟିଏ ଏସ୍‌ପିଭି ଗଠନ କରିଛି । ଯାହାର ବାର୍ଷିକ ରାଜସ୍ବ ଆୟ ୨ ହଜାର ୪୭୦ କୋଟିରୁ ଅଧିକ ହେବ । ବିଦ୍ୟୁତ ଉପଭୋକ୍ତାମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଆଗାମୀ ଦିନରେ ୧ କୋଟି ୧୫ ଲକ୍ଷରେ ପହଞ୍ଚିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନିକୁ ୨୫ ବର୍ଷ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରାଯାଇଛି ।