କନକ ବ୍ୟୁରୋ : ଟାଟା ମୋଟର୍ସ ଠକେଇ ମାମଲାରେ କ୍ରାଇମବ୍ରାଂଚ ଏସଆଇଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓଙ୍କୁ ଗୁରୁବାର ସଂଧ୍ୟାରେ ଝାରପଡା ଜେଲ ପଠାଇ ଦିଆଯାଇଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ସର୍ବେଶ୍ୱରଙ୍କୁ ଜେଲକୁ ପଠେଇ ଦିଆଯାଇଛି । ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ ।
ଆକାଶ ପାଠକ ଠକେଇ ମାମଲାରେ କ୍ରାଇମ୍ ବ୍ରାଂଚର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିଲା । ସେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥ କରୁଥିଲେ । ବ୍ରହ୍ମପୁର ସିଟି କଲେଜରୁ ଅବସର ନେଇଥିବା ଅଧ୍ୟକ୍ଷ ସର୍ବେଶ୍ୱର ରାଓ ଲୋକଙ୍କଠାରୁ ବାୟୋଡାଟା ଆଣୁଥିଲେ । ଏହାକୁ ସେ ଆକାଶ ନିକଟରେ ପହଂଚାଉଥିଲେ ଏବଂ ଚାକିରି କରାଇ ଦେବା ନାଁରେ ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରେ ବିଧାୟକଙ୍କ ଘନିଷ୍ଠ ତଛା ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଭି ସେର୍ବେଶ୍ୱର ରାଓଙ୍କୁ ବି ପୁଲିସ ବାନ୍ଧିଛି । ଏହି ତିନି ବଡ ମୁଣ୍ଡ ଗିରଫ ପରେ କ୍ରାଇମ୍ବ୍ରାଂଚର ପରବର୍ତୀ ଟାର୍ଗେଟରେ କିଏ, ତାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।