କନକ ବ୍ୟୁରୋ : ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବ ଟାଟା । ୧୨ ହଜାର ୧୦୦ କୋଟି ଟଙ୍କାରେ ବିଡିଂ ଡାକିଥିଲା ଟାଟା । ଆଉ ସର୍ବାଧିକ ବିଡିଂ ଟାଟାର ଥିବାରୁ ଏଥିରେ ମୋହର ମାରିଛି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Advertisment

କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ବର୍ଷକୁ ୧.୧ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ କରୁଥିଲା । ଆଉ ଏଥିରେ ୬ ପିଏସଇର ସେୟାର ରହିଥିଲା । କିନ୍ତୁ ଲଗାତାର କ୍ଷତି ଫଳରେ ଗତ ମାର୍ଚ୍ଚ ୨୦୨୦ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ତାଲା ଝୁଲିଥିଲା । ଋଣଭାରରେ ବୁଡି ରହିଥିଲା କମ୍ପାନି । କର୍ମଚାରୀଙ୍କୁ ଦରମା ଦେଇ କମ୍ପାନି ଚଳାଇବା ସମ୍ଭବ ନ ହେବାରୁ ଏହାକୁ ବନ୍ଦ କରାଯାଇଥିଲା । ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବାକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ ନାଲୱା ଷ୍ଟିଲ ବିଡିଂ ଦାଖଲ କରିଥିଲେ । ସେହିଭଳି ଏକାକୀ ଜେଏସଡବ୍ଲୁ ମଧ୍ୟ ବିଡ୍ ଦାଖଲ କରିଥିଲା । ଏହାବାଦ୍ ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟସ ଲିମିଟେଡ ମଧ୍ୟ ବିଡିଂ ଦାଖଲ କରିଥିଲା । ଆଉ ସର୍ବାଧିକ ବିଡିଂ ଦାଖଲ କରି ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବାକୁ ହକଦାର ହୋଇଛି ଟାଟା ।