୬୮ ବର୍ଷ ପରେ ପୁଣି ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, ୧୯୩୨ ରେ ଏହାକୁ ଆରମ୍ଭ କରିଥିଲା ଟାଟା ଗ୍ରୁପ

235

କନକ ବ୍ୟୁରୋ : ବହୁଦିନ ପରେ ଦେଶରେ ଏକ ବଡ ଏୟାର ଲାଇନ୍ସ ବିକ୍ରି ହୋଇଛି । ଦୀର୍ଘଦିନ କ୍ଷତିରେ ଚାଲିବା ପରେ ଏହାକୁ ବିକିବାକୁ ସରକାର ଟେଣ୍ଡର କରିଥିଲେ ଓ ଏହି ଟେଣ୍ଡରେ ଟାଟା ସନ୍ସ ଜିତି ଆଜି ପୁଣିଥରେ ନିଜଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏୟାର ଇଣ୍ଡିଆକୁ ସରକାରଙ୍କ ଠାରୁ କିଣି ନେଇଛି ଟାଟା ଗ୍ରୁପ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏୟାର ଇଣ୍ଡିଆର ବିକ୍ରି ପାଇଁ ଯେଉଁ ଦୁଇଟି ନିଲାମଧାରୀ ଡାକ ଦେଇଥିଲେ ତା ମଧ୍ୟରୁ ସରକାର ଟାଟା ଗ୍ରୁପକୁ ବାଛିଛନ୍ତି । କହିରଖୁ କି ଟାଟା ଗ୍ରୁପ ଓ ସ୍ପାଇସଜଟର ଚେୟାରମ୍ୟାନ ଅଜୟ ସିଂହ ଏୟାର ଇଣ୍ଡିଆକୁ କିଣିବା ପାଇଁ ଶେଷ ନିଲାମ ଡାକିଥିଲେ ।

ଏୟାର ଇଣ୍ଡିଆର ଇତିହାସ ଟାଟାଗ୍ରୁପ ସହିତ ଯୋଡି ହୋଇ ରହିଛି । ୬୮ ବର୍ଷ ତଳେ ଅର୍ଥାତ ୧୯୩୨ ମସିହାରେ ଟାଟା ଗ୍ରୁପ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ କରାଯାଇଥିଲା । ସେତେବେଳେ ଟାଟା ଗ୍ରୁପର ମୁଖ୍ୟ ଜେ.ଆ.ଡି ଟାଟା ଏହାର ଫାଉଣ୍ଡର ଥିଲେ । ସେତେବେଳେ ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ରଖା ଯାଇଥିଲା । ୧୯୩୮ ସୁଦ୍ଧା କମ୍ପାନୀ ଘରୋଇ ଉଡାଣ ଆରମ୍ଭ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରକାର ନିଜ ହାତକୁ ନେଇଯାଇଥିଲେ । ସ୍ୱାଧୀନତା ପରେ ସରକାର ଏୟାର ଇଣ୍ଡିଆରେ ୪୯ ପ୍ରତିଶତ ଅଂଶଧନ ବିନିଯୋଗ କରିଥିଲେ ।

୨୦୦୭ ମସିହାରେ ଇଣ୍ଡଆନ ଏୟାରଲାଇନ୍ସର ମିଶ୍ରଣ ପରେ ଏୟାର ଇଣ୍ଡିଆ କ୍ଷତିରେ ଚାଲିବା ଆରମ୍ଭ କରିଥିଲା । ୨୦୨୧ ପ୍ରଥମ ତୈମାସିକରେ ପାଖା ପାଖି ୧୦ ହଜାର କୋଟି କ୍ଷତି ହୋଇଥିଲା । ଏହାସହ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀ ମୋଟ ୬୦.୦୭୪ କୋଟି ଟଙ୍କା ଋଣ କରିଥିଲା । ଏବେ ଟାଟା ଗ୍ରୁପ ଏହାକୁ ନେବା ପରେ ମୋଟ ୨୩,୨୮୬.୫ କୋଟି ଟଙ୍କାର ଋଣ ବୋଝ ଉଠାଇବାକୁ ପଡିବ ।

ଏବେ ଏୟାର ଇଣ୍ଡିଆ ଦେଶରେ ମୋଟ ୪୪୦୦ ଓ ବିଦେଶରେ ୧୮୦୦ ଲ୍ୟାଡିଙ୍ଗ ସ୍ଲଟ କଣ୍ଟ୍ରୋଲ କରୁଥିଲା । ବାରମ୍ବାର କ୍ଷତିରେ ଚାଲିବା, କର୍ମଚାରୀମାନଙ୍କୁ ଦରମା ଦେବାରେ ଅସୁବିଧା ହେବା ଯୋଗୁଁ ସରକାର ଏହାକୁ ବିକ୍ରି କରିଦେଇଥିବା କଥା କୁହାଯାଇଛି ।