ଦୋରାବଜୀ ଟାଟା ଏକଲକ୍ଷ ପାଉଣ୍ଡ ଦେଇ କିଣିଥିଲେ ଏହି ହୀରା । ବୀମା ମଧ୍ୟ କରାଇଥିଲେ ।
ଦକ୍ଷିଣ ଆଫ୍ରିକାର ଜୈଗର୍ସଫ୍ରଣ୍ଟିନ ହୀରା ଖଣି ନିଜର ବହୁମୂଲ୍ୟ ହୀରା ପାଇଁ ସାରା ବିଶ୍ୱରେ ଖୁବ ପରିଚିତ । ଏହି ଖଣିରୁ ଆଜି ପର୍ଯ୍ୟନ୍ତ ୯୬ ଲକ୍ଷ କାରାଟ୍ ରୁ ଉର୍ଦ୍ଧ ସୁନ୍ଦର ସୁନ୍ଦର ଦାମିକା ହୀରା ଉତ୍ତୋଳନ ହୋଇଛି । ୧୮୯୫ରେ ଏହି ଖଣିରୁ ଏପରି ଏକ ହୀରା ବାହାରିଥିଲା ଯାହା ଆକାରରେ ବିଶ୍ୱପ୍ରସିଦ୍ଧ ‘କୋହିନୁର’ଠାରୁ ଦୁଇଗୁଣ ବଡ଼ ଥିଲା । ୨୪୫.୩୫ କାରାଟ୍ ବିଶିଷ୍ଟ ଏହି ହୀରା ଦେଖିବାକୁ ଯେତିକି ଉଜ୍ଜଳ ଥିଲା ଶୁଦ୍ଧତାରେ ମଧ୍ୟ ସେତିକି ଅକଳ୍ପନୀୟ ଥିଲା । ୧୯୮୬ରେ କଟିଙ୍ଗ ଏବଂ ପଲିସ ପାଇଁ ଏହାକୁ ଆମଷ୍ଟରଡାମ ପଠାଯାଇଥିଲା ।
‘ଜୁବିଲି’ ବୋଲି କେମିତି ନାମିତ ହେଲା ?
ଠିକ ଏହାର ପରବର୍ଷ ଅର୍ଥାତ ୧୮୯୭ରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ଶାସନର ଡାଇମଣ୍ଡ ଜୁବୁଲି ବର୍ଷ ଥିଲା ଏବଂ ତାଙ୍କ ସମ୍ମାନାର୍ଥେ ଏହାର ନାମ ‘ଜୁବୁଲି’ ଦିଆଯାଇଥିଲା । ସେ ସମୟରେ ଏହାର ତିନିଜଣ ମାଲିକ ଥିଲେ । ସେମାନେ ଏହାକୁ ରାଣୀଙ୍କୁ ଉପହାର ଆକାରରେ ଦେବାକୁ ଚାହୁଁଥିଲେ । କିନ୍ତୁ ସେ ହୀରାର ଭାଗ୍ୟରେ କିଛି ଅଲଗା କଥା ଲେଖାଥିଲା । ୧୯୦୦ ମସିହାରେ ପ୍ୟାରିସର ଏକ ପ୍ରଦର୍ଶନୀ ସର୍ବସାଧାରଣ ଦେଖିବା ପାଇଁ ରଖାଯାଇଥିଲା । ସେହି ପ୍ରଦର୍ଶନୀକୁ ଟାଟାଗ୍ରୁପର ସଂସ୍ଥାପକ ଜାମଶେଦଜୀ ଟାଟାଙ୍କ ବଡ଼ ପୁଅ ଦୋରାବଜୀ ଟାଟା ଯାଇଥିଲେ । ଏବଂ ଏହାର ସୁନ୍ଦରତା ଦେଖି ମୁଗ୍ଧ ହୋଇଯାଇଥିଲେ ।
ଏକଲକ୍ଷ ପାଉଣ୍ଡ ଦେଇ ଦୋରାବଜୀ ଟାଟା ତାହାକୁ କିଣିଥିଲେ ।
ଦୋରାବଜୀ ଟାଟା ଏହାର ଦୁଇବର୍ଷ ପୂର୍ବରୁ ୧୮୯୮ରେ ମେହେରବାଈଙ୍କୁ ବିବାହ କରିଥିଲେ । ପ୍ରଦର୍ଶନୀରେ ହୀରାକୁ ଦେଖିବାପରେ ସେ ମନେମନେ ଏହା ତାଙ୍କ ପତ୍ନୀଙ୍କୁ ଉପହାର ଦେବାପାଇଁ ନିଷ୍ପତି କରିଥିଲେ । ହରିଶ ଭଟ୍ଟ ତାଙ୍କ ‘ଟାଟା ଷ୍ଟୋରିଜ’ ବହିରେ ଲେଖିଛନ୍ତି ଯେ ଦୋରାବଜୀ ଟାଟା ଲଣ୍ଡନର ସେହି ବ୍ୟବସାୟୀ ମାନଙ୍କଠାରୁ ଏକଲକ୍ଷ ପାଉଣ୍ଡ ଦେଇ ହୀରାଟିକୁ କିଣିଥିଲେ । ଏବଂ ନିଜ ପତ୍ନୀଙ୍କୁ ଉପହାର ସ୍ଵରୂପ ଦେଇଥିଲେ । ମେହେରବାଈ ଟାଟା ଏହାକୁ ଲକେଟ କରି ପ୍ଲାଟିନମ ଚେନରେ ପିନ୍ଧୁଥିଲେ ।
ଲଣ୍ଡନରେ ରହୁଥିଲା ହୀରା । କରେଇଥିଲେ ବହୁମୂଲ୍ୟର ବୀମା ।
ଭଟ୍ଟ ଲେଖିଛନ୍ତି ଯେ ଦୋରାବଜୀ ଟାଟା ସେ ହୀରାର ବହୁମୂଲ୍ୟ ବୀମା ମଧ୍ୟ କରାଇଥିଲେ । ତାକୁ ସେ ଲଣ୍ଡନର ଇମ୍ପେରିଆଲ ବ୍ୟାଙ୍କର ସେଫ ଡିପୋଜିଟ ଭଲ୍ଟରେ ରଖୁଥିଲେ । ମେହେରବାଈ ଯେବେ ବି ପିନ୍ଧିବାପାଇଁ ବାହାରକରୁଥିଲେ ସେବେ ବୀମା କମ୍ପାନୀ ୨୦୦ ପାଉଣ୍ଡର ଜୋରିମାନା କରୁଥିଲା । ଜୋରିମାନା ଦେଇ ମଧ୍ୟ ମେହେରବାଈ ଏହାକୁ ପିନ୍ଧିବାରେ କୌଣସି ସୁଯୋଗ ହାତଛଡା କରୁନଥିଲେ ।
ଟାଟା ଷ୍ଟିଲକୁ ବଞ୍ଚେଇବାକୁ ଯାଇ ବନ୍ଧା ପକେଇଥିଲେ ଏହି ହୀରାକୁ
ହରିଶ ଭଟ୍ଟ ଏହା ଲେଖିଛନ୍ତି ଯେ ସେହି ସମୟରେ ଦୋରାବଜୀ ଟାଟା, ଟାଟା ଗ୍ରୁପର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିଲେ । ୧୯୨୩ ପ୍ରାରମ୍ଭରେ ଟାଟା ଗ୍ରୁପର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହେଇଯାଇଥିଲା । ୧୯୨୪ରେ ଦିନେ ଦୋରାବଜୀ ଟେଲିଗ୍ରାମ ପାଇଲେ ଯେ ଟାଟା ଷ୍ଟିଲ ପାଖରେ ତାର କର୍ମଚାରୀଙ୍କୁ ବେତନ ଦେବାପାଇଁ ମଧ୍ୟ ଅର୍ଥ ନାହିଁ । ସମସ୍ତେ ଭାବୁଥିଲେ ଯେ କମ୍ପାନୀ ବୋଧହୁଏ ବନ୍ଦ ହେଇଯିବ । ସେହି ସମୟରେ ଦୋରାବଜୀ ଟାଟା ଓ ତାଙ୍କ ପତ୍ନୀ ମେହେରବାଈ ତାଙ୍କର ସମସ୍ତ ସମ୍ପଟିକୁ ଇମ୍ପେରିଆଲ ବ୍ୟାଙ୍କରେ ବାନ୍ଧି ରଖି ଟାଟା ଷ୍ଟିଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବେ । ସେ ସମୟରେ ତାଙ୍କ ସମ୍ପତିର ମୂଲ୍ୟ ପରେ ଏକ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା ଯାହା ସେ ସମୟ ପାଇଁ ବହୁତ ଅଧିକ ଥିଲା । ସେ ସମ୍ପତି ମଧ୍ୟରେ ମେହେରବାଇଙ୍କ ଗହଣାପତ୍ର ସହ ଜୁବୁଲି ହୀରା ମଧ୍ୟ ସାମିଲ ଥିଲା ।
୧୯୭୩ରେ ସେ ବିକି ଦେଇଥିଲେ
ଇମ୍ପେରିଆଲ ବ୍ୟାଙ୍କ ଟାଟାକୁ ଏହି ସମ୍ପତି ବଦଳରେ ଏକକୋଟି ଟଙ୍କା ଋଣ ଦେଇଥିଲା । ଏହି ଅର୍ଥରେ ଟାଟାର ସ୍ଥିତି ଧୀରେଧୀରେ ସୁଧୁରିବା ଆରମ୍ଭ କରିଥିଲା । ୧୯୩୦ ବେଳକୁ ଟାଟା ପୁଣି ପୂର୍ବଭଳି ଏକ ଲାଭଜନକ ସଂସ୍ଥାରେ ପରିଣତ ହେଇସାରିଥିଲା । ୧୯୩୧ରେ ମେହେରବାଈ ଟାଟାଙ୍କର ସ୍ଵର୍ଗବାସ ହେଇଯାଇଥିଲା । ଏହାର ବର୍ଷକପରେ ଦୋରାବଜୀ ଟାଟା ମଧ୍ୟ ମୃତ୍ୟୁବରଣ କରିଥିଲେ । ସେ ନିଜର ଉଇଲରେ ନିଜର ସମସ୍ତ ବ୍ୟକ୍ତିଗତ ସମ୍ପତିକୁ ‘ଟାଟା ଚାରିଟେବୁଲ ଟ୍ରଷ୍ଟ’କୁ ଦାନ କରିଦେଇଥିଲେ । ୧୯୭୩ରେ ‘ଜୁବୁଲି’ ହୀରାକୁ ବିଶ୍ୱବିଖ୍ୟାତ ଦାମୀଗହଣା ବ୍ରାଣ୍ଡ ‘କାର୍ଟିଅର’ ଜରିଆରେ ବିକ୍ରି କରାଯାଇଥିଲା ଏବଂ ମିଳିଥିବା ରାଶିକୁ ଟ୍ରଷ୍ଟକୁ ଦେଇ ଦିଆଯାଇଥିଲା ।
ଦୋରାବଜୀ ଟାଟା ଓ ମେହେରବାଈଙ୍କ ସ୍ମୃତିରେ ଟାଟା ଷ୍ଟିଲ ପକ୍ଷରୁ ଜାମସେଦପୁର ଠାରେ ଏକ ପାର୍କ ନିର୍ମାଣ କରାଯାଇଛି । ଏଠାରେ ଦୁଇ ଜଣଙ୍କ ପ୍ରତିମୂର୍ତ୍ତି ସହିତ 'ଜୁବୁଲି' ହୀରାର ଏକ ପ୍ରତିକୃତି ମଧ୍ୟ ରହିଛି ।