୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ କିଣିଲା ଟାଟା: ଟ୍ୱିଟ୍ କରି ରତନ ଟାଟା କହିଲେ ୱେଲକମ୍ ବ୍ୟାକ୍ ଏୟାର ଇଣ୍ଡିଆ

124

କନକ ବ୍ୟୁରୋ: ଆଜି ଟାଟା ହାତକୁ ପୁଣି ଫେରିଛି ଏୟାର ଇଣ୍ଡିଆ, ୬୮ ବର୍ଷ ତଳର ଏହି ଘଟଣା ପୁଣି ତାଜା ହୋଇଯାଇଛି । କାରଣ ଏବେ କ୍ଷତିରେ ଚାଲୁଥିବା ବିମାନ ସେବା ପ୍ରଦାନକାରୀ ସରକାରୀ କମ୍ପାନି ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିନେଇଛି ଟାଟା ସନ୍ସ । ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ମାମଲା ଦେଖାଦେଖି କରୁଥିବା ଡିଆଇପିଏଏମ ସଚିବ ତୁହିନକାନ୍ତା ପାଣ୍ଡେ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ରାଜୀବ ବଂଶଲ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଘୋଷଣା କରିଛନ୍ତି । ସ୍ପାଇସ ଜେଟର ଅଜୟ ସିଂଙ୍କ ନେତୃତ୍ୱାଧୀନ କନସୋର୍ଟିୟମକୁ ପଛରେ ପକାଇ ବାଜି ମାରିନେଇଛି ଟାଟା କମ୍ପାନି ।

ଟାଟା ଜିତିଲା ନିଲାମ
– ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ୧୮ ହଜାର କୋଟି ଟଙ୍କାର ନିଲାମ ଡାକିଥିଲା ଟାଟା
– ୧୫ ହଜାର ୧୦୦ କୋଟିର ସର୍ବାଧିକ ନିଲାମ ଡାକିଥିଲେ ସ୍ପାଇସଜେଟ୍ର ଅଜୟ ସିଂହ
– ପ୍ରାୟ ୨୯ଶହ କୋଟି ଟଙ୍କାର ଅଧିକ ନିଲାମ ଡାକି ଏୟାର ଇଣ୍ଡିଆକୁ ହାତେଇ ନେଇଛି ଟାଟା
– ଏଥିସହ ଟାଟା ସନ୍ସ ହାତରେ ରହିବ ଦେଶର ୩ଟି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନି

ମହାରାଜା ଭାବେ ଜଣାଶୁଣା ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିଥିଲେ ମଧ୍ୟ ଆଗାମୀ ୫ ବର୍ଷ ଯାଏଁ ନାଁ ଓ ଲୋଗୋକୁ ଅପରିବର୍ତିତ ରଖିବ ଟାଟା । ଏହାପରେ ଚାହିଁଲେ ନାଁ ପରିବର୍ତନ କରିପାରିବ ବୋଲି ସର୍ତ ରଖାଯାଇଛି ।

୬୮ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଟାଟା ଗ୍ରୁପ ହାତକୁ ଫେରି ଆସିଥିବାରୁ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି ରତନ ଟାଟା । କାରଣ ଏୟାର ଇଣ୍ଡିଆ ସହିତ ଟାଟାର ଏକ ଲମ୍ବା ଇତିହାସ ରହିଛି ।
– ୧୯୩୨ ଟାଟା ଏୟାରଲାଇନ୍ସ ସ୍ଥାପନ କରିଥିଲେ ଜେଆରଡି ଟାଟା
– ଟାଟା ଗ୍ରୁପର ପ୍ରତିଷ୍ଠାତା ଜେଆରଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ୍ ଥିଲେ
– ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଗଲ
– ଏହାପରେ ୧୯୪୬ ଜୁଲାଇ ୨୯ରେ ଟାଟା ଏୟାରଲାଇନ୍ସର ନାଁ ପରିବର୍ତନ ହେଲା
– ଏୟାର ଇଣ୍ଡିଆ ଲିମିଟେଡ୍ ନାଁରେ ପୁଣିଥରେ ବିମାନ ଚଳାଚଳ ଆରମ୍ଭ ହେଲା
– ସ୍ୱାଧୀନତା ପରେ ଏୟାର ଇଣ୍ଡିଆର ୪୯% ଅଂଶଧନ ସରକାର ନିଜ ଅଧିନକୁ ନେଲେ
– ୧୯୫୩ ମସିହାରେ ଏୟାର ଇଣ୍ଡିଆର ରାଷ୍ଟ୍ରୀୟକରଣ କରାଯାଇଥିଲା

୨୦୧୮ରେ ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ସରକାର ପ୍ରୟାସ ଆରମ୍ଭ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ । ଗତ ବର୍ଷ ଜାନୁଆରୀରୁ ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।