କନକ ବ୍ୟୁରୋ: ବାଂଲାଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ଆଉ ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ହିଁ ଦାୟୀ କରିଛନ୍ତି ବାଂଲାଦେଶର ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ। ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ତସଲିମା। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି। ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେଉଁମାନଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ବାହାର କରିଥିଲେ। ଆଜି ସେମାନଙ୍କ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସୀନା ନିଜେ ଦାୟୀ।

୧୯୯୯ରେ ତସ୍ଲିମାଙ୍କ ଦେହ ଅସୁସ୍ଥ ଥିଲା। ତାଙ୍କୁ ଦେଖିବାକୁ ବାଂଲାଦେଶ ଯାଇଥିଲେ। କିନ୍ତୁ ଏହାପରେ ସେ ଆଉ ବାଂଲାଦେଶରେ ପ୍ରବେଶ କରିପାରିନାହାନ୍ତି। ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ହସୀନା ତାଙ୍କୁ ଦେଶରୁ ବାହାର କରିଥିଲେ। ସେହି ମୌଳବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡ଼ିତ ଅଛନ୍ତି ଯେଉଁମାନେ ଆଜି ହସୀନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛନ୍ତି। ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ହସିନା ସବୁବେଳେ ପ୍ରୟାସ କରୁଥିଲେ। ଆଜି ତାହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି ବୋଲି ତସଲିମା ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଛି। ସେ ନିଜ ପରିସ୍ଥିତି ପାଇଁ ଦାୟୀ।

ହସୀନା ମୌଳବାଦୀମାନଙ୍କୁ ଗୁରୁତ୍ୱ ଦେଉଥିଲେ। ନିଜ ଲୋକଙ୍କୁ ଦୁର୍ନୀତିରେ ଜଡିତ ହେବାକୁ ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ସେନା ଶାସନ କରିବା ଉଚିତ୍ ନୁହେଁ। ରାଜନୈତିକ ଦଳ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ୍ ବୋଲି ତସଲିମା କହିଛନ୍ତି।