କାଲି ଅପେକ୍ଷା ଆଜି ବଢିଛି ଜଙ୍ଗଲ ନିଆଁ । ରାଜ୍ୟର ୧୦୪୮ ପଏଣ୍ଟରେ ବନାଗ୍ନି ଠାବ । 

129

କନକ ବ୍ୟୁରୋ: ରାଜ୍ୟରେ ପୁଣି ବଢିଲା ଜଙ୍ଗଲ ନିଆଁ । ଗତକାଲି ରାଜ୍ୟର ୪୯୭ ପଏଣ୍ଟରେ ନିଆଁ ଥିବାବେଳେ ଆଜି ଏହି ସଂଖ୍ୟା ୧୦୪୮କୁ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଶିମିଳିପାଳରେ ଜଙ୍ଗଲ ନିଆଁର ପରିମାଣ କମ୍ ହୋଇଛି । ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ମଧ୍ୟରେ ୨୬ ଓ ୨୪ ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଛି । ଆହୁରି ମଧ୍ୟ ଶିମିଳିପାଳର କିଛି ଅଂଶରେ ଗତକାଲି ବର୍ଷା ହୋଇଥିବାରୁ ଆଗାମୀ  ୩ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଜଙ୍ଗଲ ନିଆଁ ହ୍ରାସ ପାଇବ ବୋଲି ଟାସ୍କ ଫୋର୍ସ ପକ୍ଷରୁ ସୂଚନା ମିଳିଛି ।

ଏହାସହିତ ଟାସ୍କ ଫୋର୍ସ ଆହୁରି କହିଛି ଯେ, ଅଗ୍ନିସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଅଗ୍ନିଋତୁ ବାକି ଅଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି କୁହାଯାଇଛି । ଅନ୍ୟପଟେ ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଫାୟାର ୱାଚରଙ୍କ ଯୋଗଦାନ ଏବଂ ଏକତ୍ରୀକରଣ ସହିତ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ।