ଟାର୍ଗେଟ କିଲିଂରେ ଥରୁଛି କଶ୍ମୀର। ଆକ୍ସନ ମୋଡରେ କେନ୍ଦ୍ର ସରକାର ।

248

କନକ ବ୍ୟୁରୋ: ଜାମ୍ମୁକଶ୍ମୀରରେ ବଢିଚାଲିଛି ଟାର୍ଗେଟ କିଲିଂ ଘଟଣା । ଜଣଙ୍କ ପରେ ଜଣେ ହିନ୍ଦୁ, କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । ୨୬ଦିନ ଭିତରେ ୧୦ଜଣଙ୍କୁ ହତ୍ୟା କରି ପୁଣି କାଶ୍ମୀର ଘାଟିକୁ ରକ୍ତରଂଜିତ କରିଛନ୍ତି ଆତଙ୍କୀ । ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରି ଏବେ ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର । ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦୁଇଟି ଉଚ୍ଚସ୍ତରୀୟ ବୈଠକ ବସିଛି । ବୈଠକରେ ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ, କାଶ୍ମୀର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଜାମ୍ମୁକାଶ୍ମୀର ପୁଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ବୈଠକରେ ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ।
● କାଶ୍ମୀରରେ ରହୁଥିବା ହିନ୍ଦୁ, ଅଣକାଶ୍ମିରୀ ଓ କାଶ୍ମୀର ପଣ୍ଡିତଙ୍କୁ କଡ଼ା ସୁରକ୍ଷା ଦିଆଯିବ
● ଆତଙ୍କବାଦୀଙ୍କୁ ମୁହଁତୋଡ୍ ଜବାବ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ
● ଘାଟିରୁ ଆତଙ୍କୀଙ୍କ ମୂଳପୋଛ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ ହେବ
● ଘାଟିରେ ଶିଘ୍ରବଡଧରଣର ଅପରେସନ ସମ୍ଭାବନା ରହିଛି

କିଛି ଦିନ ପୂର୍ବରୁ ଅଫିସରେ ପଶି ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ । ପରେ ଜଣେ ହିନ୍ଦୁ ଯବାନ, ଶିକ୍ଷୟିତ୍ରୀ, ବ୍ୟାଙ୍କ କର୍ମଚାରୀ ଓ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ଏଭଳିସ୍ଥିତିରେ ସାଧାରଣ ନାଗରିକ ସରକାରଙ୍କ ସୁରକ୍ଷା ପ୍ରତିଶ୍ରୁତି ଉପରେ ଭରଷା କରିପାରୁନାହାଁନ୍ତି । କୋକୁଆ ଭୟଭିତରେ ନିଜ ଜୀବନ ବଞ୍ଚାଇବା ହିନ୍ଦୁଙ୍କ ପଳାୟନ ଆରମ୍ଭ ହୋଇଛି । ଏବେ ସୁଦ୍ଧା ୩ହଜାରରୁ ଅଧିକ ହିନ୍ଦୁ କାଶ୍ମୀର ଛାଡିଚାଲିଯାଇଥିବା କୁହାଯାଉଛି । ସେପଟେ ଟାର୍ଗେଟ କିଲିଂ ଘଟଣାକୁନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । କାଶ୍ମୀର ପାଇଁ ସରକାର ଗମ୍ଭୀର ନଥିବା କହିଛି ଶିବସେନା ଓ କଂଗ୍ରେସ ।

ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଥାଇପାରେ । କାଶ୍ମୀରର ସଂଖ୍ୟାଲଘୁଙ୍କୁ କେନ୍ଦ୍ରଶାସିତ ପ୍ରଦେଶରୁ ବାହାର କରିବା ଉଦ୍ଦେଶ୍ୟ । କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଚେଷ୍ଟା ହୋଇପାରେ । ବର୍ତ୍ତମାନର ଏହି ଟାର୍ଗେଟ କିଲିଂ ଘଟଣା ୯୦ଦଶକର କାଶ୍ମୀର ଘାଟିର ସେହି ଲୋମହର୍ଷଣକାରୀ ଦିନକୁ ମନେପକାଉଛି । ଯେଉଁ ସମୟରେ କାଶ୍ମୀରପଣ୍ଡିତଙ୍କୁ ବର୍ବରତା ସହ ହତ୍ୟା କରୁଥିଲେ ଆତଙ୍କବାଦୀ ଓ ଆରମ୍ଭ ହୋଇଥିଲା ହିନ୍ଦୁଙ୍କ ପଳାୟନ ।