ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ: ଦଳ କହିଲା, କେନ୍ଦ୍ରର ଅବହେଳା..ରାଜ୍ୟର ବିକାଶ ଦିଗରେ ବାଧକ

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଜାରି ରହିବ ଲଢେଇ

143

କନକ ବ୍ୟୁରୋ : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ଦଳ କହିଛି କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ । ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଜାରି ରହିବ ଲଢେଇ । ସେହିପରି କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା । କିଛି ସମୟ ପରେ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ ।

୧୮ ତାରିଖରେ ବିଜେଡିର ଯୁବ କାର୍ଯ୍ୟକାରିଣୀ ଓ ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଉଭୟ ବୈଠକରେ ବିଶେଷ ଭାବେ ପୁଣି ଥରେ କେନ୍ଦ୍ର ଅବହେଳାକୁ ଗୁରୁତ୍ୱ ଦେଇଛି ଦଳ । ବିରୋଧୀ ଏହାକୁ ବିଜେଡିର ପାରମ୍ପାରିକ ରଣ କୌଶଳ କହୁଥିବା ବେଳେ ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ଅବହେଳାର ବାସ୍ତବ ଚିତ୍ର ଲୋକମାନଙ୍କ ଆଗରେ ରଖିବାକୁ ଚାହୁଁଛି ବିଜେଡି । ୫ ପାଳିର ଶାସନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସହଯୋଗ କରିଛି । ହେଲେ ରାଜ୍ୟର ସାଂସଦ ମାନେ ଯେଭଳି ଭାବେ କେନ୍ଦ୍ରରୁ ନିଜ ରାଜ୍ୟର ହକ୍ ଆଣିବା କଥା ସେଥିରେ ସେମାନେ ବିଫଳ ହୋଇଛନ୍ତି । ଯେମିତି କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସ୍ଥ୍ରାୟୀ ସମାଧାନ । ଜିଏସଟିରୁ ରାଜ୍ୟ ଭାଗ ଭଳି କ୍ଷେତ୍ରରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପାପ୍ୟ ପାଇ ପାରି ନାହାନ୍ତି ।