ଟିକାକରଣ ନେଇ କେନ୍ଦ୍ର ସରକାର କରୁଛନ୍ତି ନୂଆ ଯୋଜନା । ଏବେ ଦେଶରେ ଦୈନିକ ୧ କୋଟି ଲୋକଙ୍କୁ ଦିଆଯିବ ଟିକା

204

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କ ସୂଚନା ମୁତାବକ ଦେଶରେ ଦୈନିକ ୧ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି । ସୂତ୍ର ମୁତାବକ ଜୁଲାଇ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରାଯାଉଛି । ଏହି ଯୋଜନା ମୁତାବକ ୩୦ ରୁ ୩୨ କୋଟି ଡୋଜ୍ ଟିକା ଷ୍ଟକ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।

କରୋନା ମହାମାରୀ ଦ୍ୱିତୀୟ ଲହରର ଭୟାବହତା ଓ ତୃତୀୟ ଲହରର ଆଶଙ୍କା ଭିତରେ ଏହାକୁ ମୁକାବିଲା କରିବାକୁ ସରକାର ଅଣ୍ଟା ଭିଡୁଛନ୍ତି । ଦୈନିକ ୧ କୋଟି ଟିକାକରଣ ନେଇ ସରକାର କୋଭିସିଲ୍ଡ ଓ କୋଭାକ୍ସିନର ୨୫ କୋଟି ଖୋରାକ ପ୍ରତିମାସ ଉପଲବ୍ଧ କରାଇବାକୁ କମ୍ପାନୀ ସହ କଥା ହୋଇଥିବା କୁହାଯାଇଛି । ଏହାସହ ମାସକୁ ୫ ରୁ ୭ କୋଟି ବିଦେଶୀ ଟିକା ଉପଲବ୍ଧ କରାଯିବା ନେଇ ଯୋଜନା ଚାଲିଛି । ଏହା ମଧ୍ୟରେ ବାୟୋଲୋଜିକାଲ ଇ, ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ନୋଭାଭକ୍ସ, ଜେନୋଭା ଏମଆରଏନଏ, ଜାଇଡସ୍ କାଡିଲାର ଡିଏନଏ, ଓ ଋଶ ପ୍ରସ୍ତୁତ ସ୍ପୁଟନିକ୍ –ଭି ଟିକା ବି ସାମିଲ ହେବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି କି, ଏପ୍ରିଲ ମାସରେ ଭାରତରେ ୭୫ ହଜାର ଟିକାକରଣ କେନ୍ଦ୍ର ରହିଛି । ସରକାର ପ୍ରସ୍ତୁତ କରୁଥିବା ଯୋଜନା ସଫଳ ହେଲେ ପ୍ରତି ଟିକା କେନ୍ଦ୍ରରେ ଦୈନିକ ୧୦୦ ରୁ ୧୫୦ ଲୋକଙ୍କୁ ଟିକା ଦିଆଯାଇ ପାରିବ ।