କାଶ୍ମୀରରେ ବଢିଚାଲିଛି ଟାର୍ଗେଟ କିଲିଂ। ଘର ଛାଡୁଛନ୍ତି କାଶ୍ମୀର ପଣ୍ଡିତ।

119

କନକ ବ୍ୟୁରୋ: କେତେବେଳେ ବୋମା ମାଡ ତ ପୁଣି କେତେବେଳେ ଆଖିବୁଜା ଫାୟାରିଂ । କାଶ୍ମୀରରେ ଏବେ ପୁଣି କୋକୁଆ ଭୟ ଦେଖାଦେଇଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ କାଶ୍ମୀର ପଣ୍ଡିତ, ହିନ୍ଦୁ ଓ ଅଣକାଶ୍ମୀର । ୨ ସପ୍ତାହ ଭିତରେ ୧୦ଜଣଙ୍କୁ ହତ୍ୟା କରି କାଶ୍ମୀରରେ ପୁଣି ଆତଙ୍କରାଜ ଖେଳାଇଚାଲିଛନ୍ତି ଆତଙ୍କବାଦୀ । ସେପଟେ ଜୀବନ ବଞ୍ଚାଇବାକୁ ଯାଇ ଘାଟିରେ ପୁଣି ପଣ୍ଡିତଙ୍କ ପଳାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଉପଯୁକ୍ତ ସୁରକ୍ଷା ଯୋଗାଉନଥିବା ଅଭିଯୋଗ କରି କାଶ୍ମୀରଠୁ ନେଇ ଦିଲ୍ଲୀରେ ଆରମ୍ଭ ହେଲାଣି ଆକ୍ରୋଶ ନିଆଁ ଓ ବିରୋଧ ପ୍ରଦର୍ଶନ । ବାରମ୍ବାର ଦାବି ପରେ ଶନିବାର ୧୭୭ଜଣ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ପଠାଇଛି ସ୍ଥାନୀୟ ପ୍ରଶାସନ । ଟାର୍ଗେଟ କିଲିଂ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ ।

ସେପଟେ କଶ୍ମୀରର ଟାର୍ଗେଟ କିଲିଂକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର । ଦୁଇଟି ଉଚ୍ଚସ୍ତରୀୟ ବୈଠକ କରି ଗୃହମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡିଛି । ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଅତିରିକ୍ତ ସେନା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କାଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ରୋକ ଲଗାଇବାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କୁ ଯଥା ସମ୍ଭବ ସୁରକ୍ଷା ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ କାଶ୍ମୀରର ସ୍ଥିତି ଠିକ ୯୦ ଦଶକ ପରି ମନେ ହେଉଛି । ସେ ସମୟରେ କଶ୍ମୀର ପଣ୍ଡିତଙ୍କୁ ଆତଙ୍କୀଙ୍କ ହତ୍ୟା, ଭୟରେ ପଣ୍ଡିତମାନଙ୍କ ପଳାୟନ ଦେଖିବାକୁ ମିଳୁଥିଲା । ବତର୍ମାନ ଘାଟିରେ ସମାନ ସ୍ଥିତି ଉପୁଜିଛି । ଏହି ସମସ୍ୟାକୁ ସରକାର କିଭଳି ସମାଧାନ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।