ଉପାନ୍ତ ଅଞ୍ଚଳର ସଫଳ ଯୁବ ଚାଷୀ । ଛତୁ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ନିଯୁକ୍ତି, ଲଗାଇଛନ୍ତି ୯୦୦ରୁ ଅଧିକ ଛତୁ ବେଡ ।

134

କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳର ସଫଳ ଯୁବ ଚାଷୀ  । ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ରୋଜଗାର ଦେବା ଭଳିି ଚାଷ କରି ଦେଖାଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଅଂଚଳର ଯୁବ ଛତୁ ଚାଷୀ ତରଣୀସେନ ନାଏକ  । ଛତୁ ଚାଷ କରି ଅଂଚଳରେ ସେ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ପାଞ୍ଚ ବର୍ଷ ପୂର୍ବରୁ ସେ ଛତୁ ଚାଷ ଆରମ୍ଭ କରିଥିଲେ  । ଏବେ ପ୍ରାୟ ୯୦୦ରୁ ଅଧିକ ଛତୁ ବେଡ ଲଗାଇଛନ୍ତି  । ଏବେ ତରଣୀଙ୍କ ଛତୁ ଫାର୍ମରେ ୧୫ ଜଣ ପୁରୁଷ ଓ ମହିଳା ଶ୍ରମିକ କାମ କରନ୍ତି  ।

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚର୍ଦାପାଲି ଗ୍ରାମର ଯୁବ ଚାଷୀ ତରଣୀସେନ ନାଏକ  ।  ଛତୁ ଚାଷ କରି ଅଞ୍ଚଳରେ ସେ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ପାଞ୍ଚ ବର୍ଷ ପୂର୍ବରୁ ବ୍ରହ୍ମପୁରରେ ଏକ ଘରୋଇ ପ୍ରତିଷ୍ଠାନରୁ ଛତୁ ଚାଷ ତାଲିମ ପରେ ୩ ଡେସିମିଲ ଜାଗାରେ ଛତୁ ଚାଷ ଆରମ୍ଭ କରିଥିଲେ  । ପ୍ରଥମେ ୩୦୦ ବେଡରୁ ଛତୁ ଚାଷ ଆରମ୍ଭ କରିଥିଲେ ତରଣୀସେନ  । ଏବେ ୫ ଡେସିମିଲ ଜାଗାରେ ପ୍ରାୟ ୯୦୦ରୁ ଅଧିକ ବେଡ ତିଆରି କରି ଛତୁ ଚାଷ କରୁଛନ୍ତି ଏବଂ ଲାଭବାନ ହେଉଛନ୍ତି  । ତରଣୀ ପ୍ରତିଦିନ ୩୦ରୁ ୩୫ କିଲୋ ଛତୁ ଅମଳ କରିଥାନ୍ତି  । ତାଙ୍କ ଛତୁର ଚାହିଦା ଥିବା କାରଣରୁ ପଦ୍ମପୁର ଅଂଚଳର ବ୍ୟବସାୟୀ ତାଙ୍କ ଘରକୁ ଯାଇ ୨୦୦ ରୁ ୨୭୦ ଟଙ୍କା କେଜି ପ୍ରତି ଛତୁ କିଣି ନେଉଛନ୍ତି

ଏବେ ତରଣୀଙ୍କ ଛତୁ ଫାର୍ମରେ ୧୫ ଜଣ ପୁରୁଷ ଓ ମହିଲା ଶ୍ରମିକ କାମ କରନ୍ତି  ।  ଛତୁ ଚାଷ ପାଇଁ ପ୍ରଥମେ ଭାଡି ତିଆରି କରାଯାଇଥାଏ  । ପରେ ପାଳ ବିଡା ତିଆରି କରି ପାଳ ବିଡାର ଉଭୟ ମୁଣ୍ଡକୁ ସାଇଜରେ କାଟି ଚୂନ ପାଣିରେ ବତୁରାଇ ଦିଆଯାଏ  । ଏହା ପରେ ପାଳ ବିଡା ଗୁଡିକରେ ଛତୁ ମଞ୍ଜି ଦେଇ ପ୍ରଥମରୁ ତିଆରି ହୋଇଥିବା ଭାଡିରେ ବେଡ ତିଆରି କରାଯାଏ ଏବଂ ତାକୁ ପଲିଥିନରେ ଘୋଡାଇ ରଖାଯାଇଥାଏ  । ୧୫ରୁ ୧୮ ଦିନ ମଧ୍ୟରେ ଛତୁ ଅମଳ ଆରମ୍ଭ ହୋଇଥାଏ  ।

ନିଜ ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ଯୋଗୁଁ ଛତୁଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଇବାରେ ସଫଳ ହୋଇଛନ୍ତି ଯୁବ ଚାଷୀ ତରଣୀସେନ  ।